ଭୁବନେଶ୍ବର: ବିରୋଧୀଙ୍କ ହଟ୍ଟଗୋଳ, ଘଣ୍ଟ ମାଡ ହୋହାଲ୍ଲା ମଧ୍ୟରେ ଆଜି ସରକାର ବିଧାନସଭାରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ପାରିତ ହୋଇଛି । ଖର୍ଚ୍ଚ ଦାବି ପାରିତ ବେଳେ ଆଜି ଗୃହରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ପଞ୍ଚାୟତରାଜ ମନ୍ତ୍ରୀ ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବା ବେଳେ ବିରୋଧୀ କଂଗ୍ରେସ ବିଧାୟକ ମାନେ ତାଙ୍କ ସମ୍ମୁଖକୁ ଆସି ଘଣ୍ଟ ମାଡ କରିଥିଲେ । ଫଳରେ ମନ୍ତ୍ରୀଙ୍କୁ ଶାସକ ଦଳର ବିଧାୟକ ରୋହିତ ପୂଜାରୀ, ପ୍ରଣବ ବଳବନ୍ତରାୟ ଓ ବିକ୍ରମ ପଣ୍ଡା ପ୍ରମୁଖ ସୁରକ୍ଷା ଦେଇଥିଲେ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଗୃହିତ ହୋଇଛି ।
ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ମୋଟ ବ୍ୟୟ ଅଟକଳ ୨୦ ହଜାର ୨ ଶହ ୯୩ କୋଟି ୯୪ ଲକ୍ଷ ଟଙ୍କା ରଖିଛନ୍ତି ସରକାର । ଏହି ଆର୍ଥିକ ବର୍ଷରେ ୩ ହଜାର ୬ ଶହ ୨୩ କୋଟି ୬୩ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତାବ ରହିଛି । ଏଥିରୁ ୩ ହଜାର ୫ ଶହ କୋଟି ଯୋଜନା ସମ୍ବନ୍ଧୀୟ ବ୍ୟୟ ଓ ୪୭ କୋଟି ୬୩ ଲକ୍ଷ ପ୍ରଶାସନିକ ବ୍ୟୟ ପାଇଁ ପ୍ରସ୍ତାବ ରହିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ହୋଇଥିବା ୩ ହଜାର କୋଟି ଟଙ୍କା ବ୍ୟୟ ବରାଦରେ ଏବେ ସୁଦ୍ଧା ୧୨ ଶହ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇ ୯୮ ହଜାରରୁ ଅଧିକ ଗୃହ ନିର୍ମାଣ ହୋଇଛି । ଏହାସହ ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ୨ ହଜାର ୫ ଶହ ୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ସେହିପରି ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MAHATMA GANDHI NATIONAL RURAL EMPLOYMENT GUARANTEE ) ରେ ୨୦୨୧ ୨୨ ଆର୍ଥିକ ବର୍ଷ ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏଯାଏଁ ୧୨ ଶହ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି । କୋଭିଡ ପାଇଁ ଦାଦନ ପ୍ରବଣ ଅଞ୍ଚଳରେ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାନବ ଦିବସ ପ୍ରତି ଅତିରିକ୍ତ ୯୩ ଟଙ୍କା ପ୍ରଦାନ କରାଯାଇଅଛି ଓ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଅଛି । ଖାଲି ଏତିକି ନୁହେଁ ଚଳିତ ଆର୍ଥିକ ବର୍ଷରେ ୫ ଶହ କୋଟି ଟଙ୍କା ଲେଖାଏଁ ଅତିରିକ୍ତ ବଜେଟ ପ୍ରସ୍ତାବ ରଖାଯାଇଅଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୧୫ କୋଟି ୫୭ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଅଛି ୩୧ ଲକ୍ଷ ୩୧ ହଜାର ପରିବାରଙ୍କୁ ରୋଜଗାର ଯୋଗାଇ ଦିଆଯାଇଅଛି ।
ଅନ୍ୟପଟେ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗରେ ୨୦୨୧-୨୨ ବର୍ଷ ପାଇଁ ପ୍ରଥମ କିସ୍ତିରେ ଉଭୟ ଆବଦ୍ଧ ଓ ଅନାବଦ୍ଧ ପାଣ୍ଠି ଭାବରେ ୮ ଶହ ୩୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଯାହା ତ୍ରୀ-ସ୍ତରୀୟ ପଞ୍ଚାୟତ ଗୁଡିକୁ ଦିଆଯାଇଛି ।
ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି(ଗୁରୁବାର) ଥିଲା ଅଷ୍ଟମ ଦିନ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିଧାନସଭାରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ଦୁର୍ଭାଗ୍ୟ ଜନକ ନିଧନକୁ ନେଇ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ ଆଗତକୁ ସମର୍ଥନ କରି ବିଜେପି ବିଧାୟକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିପିଆଇ(ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ନିଜ ନିଜ ସମବେଦନା ଜ୍ଞାପନ କରିଥିଲେ ।
ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବୀରଗତି ପ୍ରାପ୍ତ ସମସ୍ତ ୧୩ ଜଣଙ୍କ ପାଇଁ ଗୃହ ସମବେଦନା ରଖିଥିଲେ । ଅମର ଆତ୍ମାର ସଦଗତି ପାଇଁ କିଛି ସମୟ ପାଇଁ ନିରବ ପ୍ରାର୍ଥନା ବିଧାନସଭା କରିଥିଲା । ପରେ ସମସ୍ତ ପୁଣ୍ୟାତ୍ମାଙ୍କ ସମ୍ମାନାର୍ଥେ ବିଧାନସଭାକୁ ବାଚସ୍ପତି ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।
ଅପରାହ୍ନ ୪ ଟା ରେ ଗୃହ ଆରମ୍ଭ ହେବାମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ, ଘଣ୍ଟମାଡ ହଙ୍ଗାମା ଭିତରେ ଖର୍ଚ୍ଚ ଦାବି ଗୃହିତ ହୋଇଥିଲା । ଏହାପରେ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି(ଶୁକ୍ରବାର) ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ