ଭୁବନେଶ୍ବର: ପ୍ରଶ୍ନକାଳରେ ଗୃହରେ ବାଲିତାତି । ବାଲିନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ । ରାଜ୍ୟରୁ ବାଲି କେତେ ଚାହିଦା ରହିଛି, ବାହାର ରାଜ୍ୟକୁ କେତେ ଯାଉଛି । ଟନ ପିଛା କେତେ ମୂଲ୍ୟ ରହିଛି ସେ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେପଟେ ବାଲି ଚାଲାଣ ଓ ମାଫିଆଙ୍କ ଚୋରା ଚାଲାଣ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ।
ତେବେ ଏହାର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଆମ ରାଜ୍ୟରୁ ବାଲି ବିଶେଷତଃ ବାହାରକୁ ଯାଏନି । 2 ରୁ 3ଟି ରାଜ୍ୟକୁ ଯାଇଥାଏ । ବାଲିର ମୂଲ୍ୟ ନିର୍ଣ୍ଣୟ ହୁଏନି । ଘାଟ ନିଲାମ ହୁଏ । ବାଲି ନେଇ ସ୍ବତନ୍ତ୍ର ରୁଲ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ବୋଲି କହିଲେ ମନ୍ତ୍ରୀ ।
ଅନ୍ୟପଟେ ବାଲିନୀତି ବିଳମ୍ବ ନେଇ ବାଚସ୍ପତିଙ୍କ ଉଦବେଗ । 3 ବର୍ଷ ହେଲା ସରକାର ବାଲିନୀତିକୁ କାହିଁକି ପକାଇ ରଖିଛନ୍ତି । ଯଦି ମାଇନର ମିନିରାଲ ହିସାବରେ ଏଥିରୁ 5000 କୋଟି ଆସୁଛି ବୋଲି କୁହାଯାଉଛି ତାହେଲେ ନୀତି ଆଣିବାରେ କାହିଁ ବିଳମ୍ବ ହେଉଛି ବୋଲି ବାଚସ୍ପତି ପ୍ରଶ୍ନ କରିବା ସହ ପ୍ରାୟ 50ରୁ ଅଧିକ ସଦସ୍ୟ ଗୃହରେ ଏ ପ୍ରଶ୍ନ ଉଠାଇ ଥିବାରୁ ମନ୍ତ୍ରୀ ଶୀଘ୍ର ବାଲିନୀତି ଆଣିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ବିଭାଗୀୟ ମନ୍ତ୍ରୀ ଖୁବଶୀଘ୍ର ରାଜ୍ୟରେ ବାଲିନୀତି ଆସିବ ବୋଲି ଆଶ୍ବାସନା ଦେଇଛନ୍ତି ।
ସେହିପରି ବାଲି ଚୋରା ଚାଲାଣ ନେଇ 144ଟି ସମ୍ବେଦନଶୀଳ ତହସିଲ ରହିଛି । ଯାହା ଉପରେ ସରକାର ନଜର ରଖିଛନ୍ତି । ଚୋରା ଚାଲାଣ ରୋକିବାକୁ ସ୍କ୍ବାର୍ଡ ଗଠନ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି । ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ