ଭୁବନେଶ୍ବର: ନିଶାମୁକ୍ତ ହେବ ରାଜ୍ୟ ରାଜଧାନୀ । ଭୁବନେଶ୍ୱରକୁ ସଜାଡିବାକୁ ପୋଲିସର ଅପରେସନ ଡ୍ରିମସ । ନିଶାଗ୍ରସ୍ତ ଯୁବପିଢିଙ୍କୁ ବାଟକୁ ଆଣିବାକୁ ଓ ବସ୍ତି ଅପରାଧରେ ବ୍ରେକ ଲଗାଇବାକୁ କମିଶନରେଟ ପୋଲିସ ଏହି ଅଭିଯାନ ଆରମ୍ଭ କରିଛି । ଏନେଇ ଡ୍ରିମସ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ଗାଢକଣା ବସ୍ତିରୁ । ବସ୍ତି ଲୋକଙ୍କୁ ଏକତ୍ରିତ କରି ସଂଗୀତ ଓ ସଚେତନତା ଜରିଆରେ ଆରମ୍ଭ କରାଯାଇଛି ଅଭିଯାନ।
ବେକାର ଯୁବପିଢିଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଜରିଆରେ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଲକ୍ଷ ରଖିଛି କମିଶନରେଟ ପୋଲିସ। ସାମାଜିକ ଓ ଅର୍ଥନୈତିକ ସପୋର୍ଟ ଦେଇ ଅଣ୍ଟା ସଳଖିବାକୁ ବସ୍ତି ବାସିନ୍ଦାକୁ ଉତ୍ସହିତ କରିଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ। କମିସନରେଟ ପୋଲିସର ବରିଷ୍ଠ ପଦାଧିକାର ଲୋକଙ୍କୁ ଏଥି ପାଇଁ ଉତ୍ସାହିତ କରିବା ସହ ବସ୍ତିରେ ନିଶାକୁ ପ୍ରଶୟ ନଦେବାକୁ କରିଛନ୍ତି ଅନୁରୋଧ । ନିଶା ପାଇ କିଭଳି ପରିବାରରେ ବିଶୃଙ୍ଖଳା ସହ ସମାଜରେ ବିଶୃଙ୍ଖଳା ଓ ଅପରାଧ ବୃଦ୍ଧି ହେଉଛି ସେନେଇ ବୁଝାଇବା ସହ ଏଥିରୁ ନିଜ ପିଲାଙ୍କୁ କିପରି ଦୂରେଇ ରଖିବ ସେନେଇ ମଧ୍ୟ ବୁଝାଇଥିଲେ । ଆବଶ୍ୟକ ପଡିଲେ ପୋଲିସର ସହାୟତା ନେଇ ଡିଆଡିକ୍ସନ ଜରିଆରେ ସାମିଲ ହୋଇ ନିଶା ଛଡାଇବା ବୋଲି ପୋଲିସ ତରଫରୁ କୁହାଯାଇଛି।
ତେବେ ନିଶାମୁକ୍ତ ପାଇଁ ଅପରେସନ ଡ୍ରିମସକୁ ସଫଳ ପାଇ ଅଣ୍ଟା ଭିଡିଛନ୍ତି ବରିଷ୍ଠ ଅଧିକାରୀ ମାନେ । ଯୋଜନା ଯେତିକି ଲୋକାଭିମୁଖି ତାହା ଏବେ କାର୍ଯ୍ୟକାରିତା ନେଇ ମଧ୍ୟ ଉଠିଛି ପ୍ରଶ୍ନ । କାରଣ ପୋଲିସ ସହରର ଛବି ସଜାଡିବାକୁ ଯେତିକି ପ୍ରୟାସ କରୁଛି , ତାଠୁ ଅଧିକ ଅନେକ ଜିନିଷକୁ ଅଣଦେଖା କରୁଛି । ଯାହାକୁ ନେଇ ଅଭିଯାନ ସଫଳ ରୂପାୟନ ନେଇ ପ୍ରଶ୍ନ ଉଠାଇଛନ୍ତି ସଚେତନ ନାଗରିକ।
ସନ୍ଧ୍ୟା ହେଲେ ସହରରେ ଜମୁଛି ନିଶାଡିଆଙ୍କ ଆସର । ଗଳି କନ୍ଦିରେ ଏକାଠି ହୋଇ ବିଭିନ୍ନବର୍ଗର ଲୋକ କର୍ମ କ୍ଷେତ୍ରରୁ ଫରି ନିଶା ଦ୍ରବ୍ୟ ଗଞ୍ଜେଇ ସେବନ ଆରମ୍ଭ କରିଦେଉଛନ୍ତି । ଏଥି ସହ ଅନେକ ନିଛାଟିଆ ସ୍ଥାନରେ ମଦ୍ୟପଙ୍କ ଆଡ୍ଡା ମଧ୍ୟ ଜମୁଛି । ସାଧାରଣ ସ୍ଥାନରେ ନିଶା କାରବାର ଖୁଲମଖୁଲା ହେଉଥିବା ବେଳେ ।ଅନେକ ସମୟରେ ଅପରାଧ ମଧ୍ୟ ହେଉଛି । କିନ୍ତୁ ଏହି ସବୁ ସ୍ଥାନରେ ପୋଲିସ ଉପସ୍ଥିତି ଦେଖିବାକୁ ମିଳୁନି କି ଆଖିଦୃଶିଆ କାର୍ଯାନୁଷ୍ଠାନ ମଧ୍ୟ ହେଉନି ।
ନିଶା ଆଡ୍ଡା ଓ ଏକାଠି ମଦ୍ୟପାନ କରୁଥିବା ସ୍ଥାନରେ ପୋଲିସର ପାଟ୍ରୋଲିଂ ନାହିଁ। ମଦ ଦୋକାନ ଆଗରେ ଖୁଲମ ଖୁଲା ମଦ୍ୟପାନ କରି ହଙ୍ଗାମା କରାଯାଉଛି । ଏଭଳି ଦିଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ରାସ୍ତାଠୁ ଆରମ୍ଭ କରି ଗଳି କନ୍ଦି ଏପରିକି ଅନେକ ପାର୍କ କଡ ଓ ଶିକ୍ଷାନୁଷ୍ଠାନ କଡରେ ନିଶାଡିଆଙ୍କରପ୍ରଭାବ ଦେଖିବାକୁ ମିଳୁଛି। ଫଳରେ ଯୁବପିଢି ଓ ଛୋଟ ପିଲାଙ୍କ ଉପରେ ମାନସିକ ପ୍ରଭାବ ପଡୁଛି ।
ତେଣୁ ଏହି ଅଭିଯାନକୁ ସଫଳ କରିବାକୁ ହେଲେ ସହରର ପ୍ରତ୍ୟେକ ସ୍ଥାନରେ ପିସିଆର ପାଟ୍ରୋଲିଂ କରିବା ସହ ପବ୍ଲିକ ପ୍ଲେସରେ ଧୁମ୍ରପାନଠୁ ଆରମ୍ଭ କରି ମଦ୍ୟପାନ କରୁଥିବା ଲୋକଙ୍କଠୁ ଫାଇନ ଆଦାୟ କରିବା ଆବଶ୍ୟକ ରହିଛି । ଏଥି ସହ ନିଶାଡିଆ ଏକତ୍ରିତ ହେଉଥିବା ସ୍ଥାନରେ ଘନ ଘନ ରେଡ କରିବାର ଆବଶ୍ୟକତା ରହିଛି, ଫଳରେ ଏହି ନିଶାମୁକ୍ତ ଅଭିଯାନ ସଫଳ ହୋଇପାରିବ ବୋଲି ଅନୁମାନ କରାଯାଉଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ