ଭୁବନେଶ୍ବର: ଯୁକ୍ତ ଦୁଇ ସିଟ ବୃଦ୍ଧି ପ୍ରସଙ୍ଗ । ଜୁଲାଇ 20 ତାରିଖ ସୁଦ୍ଧା ଆଗ୍ରହୀ ଜୁନିୟର କଲେଜଗୁଡିକର ସିଟ ବୃଦ୍ଧି ନେଇ ଆବେଦନ କରିବେ । ସାମ୍ସ ପୋର୍ଟାଲ ଜରିଆରେ ଅନଲାଇନ ମାଧ୍ୟମରେ 20 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଗତକାଲି ଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଏନେଇ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ହୋଇଥିଲା । 2021-22 ଏକାଡେମିକ୍ ଅଧିବେଶନ ପାଇଁ ସିଟ୍ ବୃଦ୍ଧି ପାଇଁ ଆବଶ୍ୟକ ଭିତ୍ତିଭୂମି ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରୁ SAMS ପୋର୍ଟାଲ୍ (www.samsodisha gov.in)ରେ ଅନଲାଇନରେ ଆବେଦନ କରିବାକୁ ଚିଠି କରିଥିଲା ଶିକ୍ଷା ବିଭାଗ ।
ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ ପିଲାଙ୍କ ରେଜଲ୍ଟ । ପାସ ହାର ବି ବହୁତ ଅଧିକ ରହିଛି । ପାସ ହାର ଅନୁସାରେ କଲେଜରେ ସିଟ ସଂଖ୍ୟା ସେତେ ନଥିଲା । ଫଳରେ ଦଶମ ପାସ କରିଥିବା ପିଲାଙ୍କ ପାଇଁ ଯୁକ୍ତ ଦୁଇ ନାମଲେଖା ନେଇ ଚିନ୍ତା ବଢିଥିଲା ।
ତେବେ ଗତକାଲି ଯୁକ୍ତ ଦୁଇ ସିଟ ବଢିବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ପରେ ପିଲାଙ୍କ ଚିନ୍ତା ଦୂର ହୋଇଛି । କେଉଁ କଲେଜରେ କେତେ ସିଟ ବଢିଛି ସେ ନେଇ 7 ଦିନ ଭିତରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆବେଦନ କରିବେ । ଏଥି ନେଇ ସାମ୍ସ ପୋର୍ଟାଲ ଜରିଆରେ ସିଟ ବୃଦ୍ଧି ନେଇ ଆବେଦନ କରିବେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ