ଭୁବନେଶ୍ବର: ପ୍ରବାସୀ ଶ୍ରମିକ ମାନଙ୍କ ଖାଦ୍ୟ ସୁରକ୍ଷ୍ୟା ଉଦେଶ୍ୟରେ ଦେଶରେ ଆରମ୍ଭ ହୋଇଛି ଓ୍ବାନ ନେଶନ, ଓ୍ବାନ ରାସନ କାର୍ଡ ଯୋଜନା । ଆମ ରାଜ୍ୟ ଓଡିଶାରେ ବି ଜୁନ ପହିଲାରୁ ଲାଗୁ ହୋଇସାରିଛି ଏହି ବ୍ୟବସ୍ଥା । ଏହି କାର୍ଡ ପ୍ରଚଳନ ହେଲେ ଯେ କୌଣସି ରାଜ୍ୟର ବ୍ୟକ୍ତି ଯେକୌଣସି ରାଜ୍ୟର ରାସନ ଡିପୋକୁ ଯାଇ ରାସନ ପାଇପାରିବେ । ପ୍ରଥମେ ରାଜଧାନୀ ଭୁବନେଶ୍ବରରେ ପାଇଲଟ ବେସିସରେ ଏହା କାର୍ଯ୍ୟକାରୀ କରାଯାଇଛି । ପରେ ରାଜ୍ୟର ଅନ୍ୟ ସହରରେ ଏହାକୁ ଲାଗୁ କରିବା ନେଇ ହୋଇଛି ନିଷ୍ପତ୍ତି । ହେଲେ କେନ୍ଦ୍ର ସରକାରଙ୍କ ଏହି ଲୋକ କଲ୍ୟାଣକାରୀ ଯୋଜନା ରାଜ୍ୟରେ କଣ କାର୍ଯ୍ୟ କରି ହେଇପାରୁଛି ? ଏହେଉଛନ୍ତି ନୀଳମାଧବ ରେଡ୍ଡୀ । ଘର ଗଞ୍ଜାମ ଜିଲ୍ଲାର ଆସ୍କାରେ । ହେଲେ ଦୁଇ ବର୍ଷ ହେବ ଭୁବନେଶ୍ବରରେ ରହିଆସୁଛନ୍ତି । ଭୁବନେଶ୍ବରରେ ଓ୍ବାନ ନେଶନ, ଓ୍ବାନ ରାସନ କାର୍ଡ ଲାଗୁ ହୋଇଥିଲେ ବି ଦିବ୍ୟାଙ୍ଗ ନୀଳମାଧବ ଏଥିରୁ ହୋଇଛନ୍ତି ବଞ୍ଚିତ ।
ସେହିପରି ଆଉ ଜଣେ ସନ୍ତୋଷୀ ବେହେରା । ସେ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ବି ସମାନ ଅବସ୍ଥା । ଖାଲି ନୀଳମାଧବ କି ସନ୍ତୋଷୀ ନୁହନ୍ତି ଏହିଭଳି ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି ।ଉଭୟ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷ୍ୟା ଯୋଜନା ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷ୍ୟ ଯୋଜନାରେ ରାଜ୍ୟରେ ପ୍ରାୟ ୩କୋଟି ୨୬ଲକ୍ଷ ଲୋକ ଯୋଡିହୋଇଛନ୍ତି । ସୂଚନା ଅନୁସାରେ ଜୁନ ପହିଲାରେ ଭୁବନେଶ୍ବରରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇସାରିଛି । ହେଲେ ବାସ୍ତବିକ ସ୍ତିତି କିନ୍ତୁ ରହିଛି ଭିନ୍ନ । ସରକାରଙ୍କ ଯୋଜନା ଯୋଜନା ବାଟରେ ରହିଛି ଆଉ ହିତାଧିକାରୀ ରାସନ ଗଣ୍ଡାକ ପାଇଁ ହନ୍ତସନ୍ତ ହେଉଛନ୍ତି । ଏନେଇ ଏହି ଯୋଜନାର କାର୍ଯ୍ୟକାରୀତା ଉପରେ ଉଠୁଛି ପ୍ରଶ୍ନଚିହ୍ନ ।
ତେବେ ଏ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ