ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଫୁଲ ସ୍ପିଡରେ ଗଡୁଥିଲା କାର । ଚଳନ୍ତା କାର ଭିତରେ ରୋମାନ୍ସ କରୁଥିଲେ ମଦ୍ୟପ ଯୁବକ ଯୁବତୀ । ଯାହାର ଭୟାନକ ପରିମାଣ ଭୋଗିବାକୁ ପଡିଲା ସ୍କୁଟି ଆରୋହୀଙ୍କୁ । ଦ୍ରୁତଗତିରେ କାର ଚଳାଇବା ସହ ରୋମାନ୍ସରେ ବୁଡି ରହିଥିବା ସେହି ଯୁବକ ଯୁବତୀ ଗୋଟିଏ ବାଇକକୁ ଧକ୍କା ଦେଇଥିଲେ । ଫଳରେ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ନୟାପଲ୍ଲୀ ଥାନା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ରାଉରକେଲାର 35 ବର୍ଷୀୟ ଯୁବକ ରାଜେଶ କୁମାର ସ୍ବାଇଁ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଦ୍ରୁତଗତିରେ ଯାଉଥିବା କାରଟି କ୍ରାଉନ ନିକଟରେ ସାଇଡ ମାରିବାବେଳେ ଏକ ଟ୍ରକ ଗାଡିର ଆଗକୁ ଆସିଥିଲା । ଟ୍ରକରୁ ବର୍ତ୍ତିବାକୁ ଯାଇ କାରଟି ଡିଭାଇଡରକୁ ଧକ୍କା ଦେବା ସମୟରେ ସାମ୍ନାରେ ଆସିଥିଲେ ସ୍କୁଟି ଚାଳକ ରାକେଶ । ଯଦ୍ବାରା ରାକେଶ ଦୁର୍ଘଟଣାର ଶିକାର ହୋଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଧକ୍କା ଦେଇଥିବା କାରରେ ସିକିମ ଓ ଉତ୍ତରାଖଣ୍ଡର ଦୁଇ ଯୁବତୀଙ୍କ ସମେତ କେନ୍ଦ୍ରାପଡା ଓ ଦିଲ୍ଲୀର ଦୁଇ ଜଣ ଯୁବକ ଥିବା ଜଣାପଡିଛି । ବର୍ତ୍ତମାନ ଚାରି ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବାବେଳେ OD02BC3457 କାରକୁ ମଧ୍ୟ ପୋଲିସ ଅଟକ ରଖିଛି ।
ମୃତ ରାକେଶ ପରିବାର ଲୋକଙ୍କ କହିବା କଥା ରାକେଶଙ୍କ ବାହାଘର ଠିକ ହୋଇଥିଲା । ସେ ପରିବାର ସହ ଝିଅ ଦେଖିବାକୁ ଗତ 18 ତାରିଖ ଦିନ ଭୁବନେଶ୍ବର ଆସିଥିଲେ । ଝିଅ ଦେଖିବା ପରେ ସେ ରାଉରକେଲା ଫେରିଥାନ୍ତେ । ତା' ପୂର୍ବରୁ ଏଭଳି ଅଘଟଣ ଘଟିଯାଇଛି । ତେବେ ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ନୟାପଲ୍ଲୀ ଥାନାରେ ହିଟ୍ ଆଣ୍ଡ ରନର ଅଭିଯୋଗ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ