ଭୁବନେଶ୍ବର: ଧାନରୁଆ ମେସିନ ଜାଲିଆତି ମାମଲାରେ ଆଉ ଜଣେ ଠକ ଗିରଫ । ସମ୍ବଲପୁର ମହୁଲପାଲି ପକେଲପଡାର ଲେଲିନ ଚୌଧୁରୀ ଗିରଫ । ଯେକି ସମ୍ବଲପୁର ଗୋବିନ୍ଦ ପାଲିରେ ଖୁସି ଏଗ୍ରୋଟେକ ନାମକ ଡିଲରସିପ ସୋରୁମ ଖୋଲି ଧାନରୁଆ ମେସିନର ଆଢୁଆଳରେ ନୀରିହ ଚାଷିଙ୍କ ନାଁରେ ଠକେଇ କରିଥିଲେ। ଗରିବ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେଇ ତା’ ବଦଳରେ ତାଙ୍କ ନାଁରେ ଡକୁମେଣ୍ଟ ନେଇ ଧାନ ରୁହା ମେସିନ କିଣିଥିବା ଦର୍ଶାଇ କୃଷି ବିଭାଗରୁ ହାତେଇଇଥିଲେ ସରକାରି ସବସିଡି ।
ଅନ୍ୟ ଜଣେ ଅଭିଯୁକ୍ତ ଶ୍ରୀନାଥ ରାଣା ସହ ମିଶି ୫୦୦ ଚାଷିଙ୍କ ନାଁରେ ୬ କୋଟି ଠକି ସେଥିରୁ ୧ କୋଟି ୩୨ ଲକ୍ଷ ନେଇଥିଲେ ଲେଲିନ। ବାକି ଟଙ୍କା ତାଙ୍କର ସହଯୋଗୀ ଠକେଇ କରିଥିଲେ ଯେକି, ପୂର୍ବରୁ ଅର୍ଥନୈତିକ ଅପରାଧ ଶାଖାରେ ଗିରଫ ହୋଇଥିଲେ।ମା’ ତାରିଣି ଅଟୋ ଏଜେନ୍ସି ସର୍ଭିସର ମାଲିକ ଶ୍ରିନାଥ ରାଣାକୁ ପୂର୍ବରୁ ଗିରଫ କରିଥିଲା ଇଓଡବ୍ଲୁ ଟିମ । ଯେକି ଚଞ୍ଚକତା କରି ନିଜେ ଚାକିରି କରୁଥିବା କମ୍ପାନୀର ଆଇଡି ପାସଓ୍ବାର୍ଡ ଜରିଆରେ ଧାନରୁଆ ମେସିନ କିଣା ଆଳରେ ସରକାରଙ୍କଠୁ ହାତେଇଥିଲେ ୬ କୋଟିର ସରକାରି ସବସିଡି ।
ସୂଚନା ମୁତାବକ କୃଷି ଓ କୃଷିଜାତ କ୍ଷେତ୍ରରେ ଉନ୍ନତି ନେଇ ବାଙ୍ଗୋଲୋରର ଏକ ସଂସ୍ଥା ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ଲିମିଟେଡ ସସ୍ଥା ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଅଫିସ ଖୋଲିଥିଲା । ବିଶେଷ କରି ଧାନ ମେସିନ ଓ ବିଭିନ୍ନ କୃଷିଜାତ ମେସିନ ବିକ୍ରି କମ୍ପାନୀର ମୁଖ୍ୟ କାମ ରହିଥିଲା । ଏହା ଓଡିଶା ସରକାରର ସହ ସହବନ୍ଧିତ ରହିଥିଲା । ୨୦୧୮ରୁ ୨୦୨୦ରେ ଏହାର ଆଞ୍ଚଳିକ ମ୍ୟାନେଜର ଭାବେ ଗିରଫ ଅଭିଯୁକ୍ତ ଶ୍ରୀନାଥ ରାଣା ସେଠାରେ କାମ କରୁଥିଲେ । ସେହି ସମୟରେ ବାଲେଶ୍ବରରେ ମା’ ତାରିଣି ଅଟୋ ଏଜେନ୍ସି ସର୍ଭିସ ଏକ ଡିଲରସିପ ନାଁରେ ୫୦୦ ଧାନ ମେସିନ ଫେକ ଚେଚିସ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ପକାଇ ଭରୋଷାପ୍ରିୟ ଏଗ୍ରୋଟେକ ପ୍ରାଇଭେଟ ସଂସ୍ଥାର ଆଇଡି ଓ ପାସଓ୍ବାର୍ଡ ଜରିଆରେ ସରକାରି ସବସିଡି ପାଇଁ ଆବେଦନ କରିଥିଲା। ଯାହାକି ଡିବିଟି ବା ଡାଇରେକ୍ଟ ବେନେଫିସିଆରି ଟ୍ରାନସଫର ଜରିଆରେ ଟଙ୍କା ସବସିଡି ତୁରନ୍ତ ମିଳୁଥିଲା ।
ଏନେଇ ମେସିନର ଦାମ ୨.୮ଲକ୍ଷ ବା ୩ଲକ୍ଷ ଦାମ ହୋଇଥିବା ବେଳେ ଏଥିପାଇଁ ମେସିନ ପିଛା ଦେଢଲକ୍ଷର ସବସିଡି ମିଳିଥାଏ। ସେହି କ୍ରମରେ ଧାନ ମେସିନ କିଣା ଆଳରେ ବିଭିନ୍ନ ଫର୍ଜି ଚାଷୀଙ୍କ ନାଁରେ ୬କୋଟି ସବସିଡି ହାତେଇଥିଲେ। ଯେଉଁଥିରେ ସମ୍ବଲପୁରର ଲେଲିନ ଚୌଧୁରି ବି ସାମିଲ ଥିଲେ। ଯାହାର କେଳେଙ୍କାରୀ ଜଣାପଡିବା ପରେ ଏନେଇ ଇଓଡବ୍ଲୁରେ ଭରୋଷାପ୍ରିୟ ଏଗ୍ରୋଟେକର ଡାଇରେକ୍ଟର ଏସ.କେ ଶ୍ରିଚରଣ ଅର୍ଥନୈତିକ ଅପରାଧା ଶାଖାରେ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ଅଭିଯୁକ୍ତ ଶ୍ରୀନାଥ ରାଣାକୁ ଆଇପିସିର ଧାରା ୪୦୯ ୪୬୮,୪୨୦,୪୭୧,୧୨୦ବି, ଆଇଟି ଆକ୍ଟ ୬୬,୬୬( ସି)(ଡି) ଆଧରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ