ଭୁବନେଶ୍ବର: ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ଶିଶିର ସରସ ମେଳା । ରାଜଧାନୀ ପଡ଼ିଆରେ ସରସ ମେଳାର ପସରା ଲୋକଙ୍କୁ ଆକୃଷ୍ଟ କରୁଛି । ସରକାରଙ୍କ ପକ୍ଷରୁ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି ଗ୍ରାମୀଣ ଉତ୍ପାଦନକାରୀଙ୍କ ସମ୍ଭାର । ତେବେ ଏହି ମେଳା ଗତ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୬ ଯାଏ ଚାଲିବ ।
ସନ୍ଧ୍ୟା ହେଲେ ରାଜଧାନୀବାସୀଙ୍କ ଏକ ମାତ୍ର ଆକର୍ଷଣୀୟ ସ୍ଥାନ ପାଲଟିଛି ପ୍ରଦର୍ଶନୀ ପଡ଼ିଆ। କରୋନା ଯୋଗୁଁ ୨ ବର୍ଷ ଧରି ବନ୍ଦ ଥିବା ମେଳାକୁ ଆସିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଏହି ୨ ବର୍ଷରେ ସବୁ ବ୍ୟବସାୟୀ ନିଜ ହାତ ବାନ୍ଧି ବସିଥିବା ବେଳେ ସରସ ମେଳା ସେମାନଙ୍କ ମନରେ ଜୀବିକାର ଆଶା ଭରି ଦେଇଛି । ଏବଂ ଭଲ ବ୍ୟବସାୟ ପାଇଁ ସେମାନେ ଆଶାବାଦୀ ଅଛନ୍ତି । ତେବେ କଟକଣା ସହ ଜୀବନ ଓ ଜୀବିକାକୁ ଆଖି ଆଗରେ ରଖି ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ମୋଟ ୩୯୦ଟି ଷ୍ଟଲ ଲାଗିଛି । ଏହି ଷ୍ଟଲରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାକୃତିକ ସାମଗ୍ରୀର ପସରା ମେଲା ଯାଇଛି । ପ୍ରାକୃତିକ ଜିନିଷ ସହିତ ସୁନ୍ଦର ସୁନ୍ଦର ଘର କରଣା ଲୋକଙ୍କୁ ଆକର୍ଶିତ କରୁଛି । ତେଣୁ ସନ୍ଧ୍ୟା ହେଲେ ମେଳାର ମଜା ଉଠାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ହେଲେ କଟକଣା ଦିଗରେ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପମାନ ନିଆଯାଇଛି ।
କରୋନା ଏହି ୨ ବର୍ଷ ମଧ୍ୟରେ ଲୋକଙ୍କ ବ୍ୟବସାୟ ଛଡ଼େଇ ନେଇଛି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ମେଳା, ବଜାର ଆଦି ବନ୍ଦ ଥିବାଯୋଗୁଁ ସେମାନଙ୍କ ଆର୍ଥନୈତିକ ମେରୁଦଣ୍ଡ ଦୁର୍ବଳ ହୋଇ ପଡ଼ିଥିଲା । ତେଣୁ କଟକଣା ମଧ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ମେଳାରେ ଆର୍ଥନୈତିକ ସୁଧାର ଆସିବା ନେଇ ଆଶାବାଦୀ ଅଛନ୍ତି । ୨ ବର୍ଷ ଧରି ବନ୍ଦ ଥିବା ସରସ ମେଳା ଗତ ୪ ଦିନରେ ୨.୨୪ କୋଟି ଉତ୍ପାଦନ କରିଛି । ଦିନକୁ ୭୦ ହଜାରରୁ ଉର୍ଦ୍ଧ୍ବ ବ୍ୟବସାୟ କରିପାରୁଛନ୍ତି ବ୍ୟବସାୟୀ । ସେପଟେ କୋଭିଡ ନିୟମ ଅନୁଯାୟୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଷ୍ଟଲକୁ ବନ୍ଦ କରି ଦିଆଯାଇଛି । ଗତକାଲି ସନ୍ଧ୍ୟାବେଳେ ଭିଡ଼କୁ ଦୃଷ୍ଟିରେ ରଖି ମେଳାକୁ ଶୀଘ୍ର ବନ୍ଦ କରି ଦିଆଯାଇଥିଲା । ତେଣୁ ଭିଡ଼ ଉପରେ ବିଶେଷ ନଜର ରଖା ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ବ୍ୟବସାୟକୁ ନେଇ କୌଣସି ଦ୍ବନ୍ଦ ସୃଷ୍ଟି ହୋଇ ନଥିବା ଓରମାସ ଅଧିକାରୀ ସୂଚନା ଦେଇଛନ୍ତି । ଏବଂ ଆଗକୁ ଯଦି ଭିଡ଼ ବଢ଼ିବାର ଆଶଙ୍କା ଦେଖାଯାଏ, ସେତେବେଳେ ମଧ୍ୟ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
ବ୍ୟବସାୟୀଙ୍କ ଆାର୍ଥିକ ଉନ୍ନତିରେ ବିକାଶ ଘଟାଇବ ଶିଶିର ସରସ ମେଳା । ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଯୋଡ଼ି ହୋଇଥିବା ମହିଳାମାନଙ୍କୁ ରୋଜଗାରକ୍ଷମ ହେବା ପାଇଁ ସହାୟକ ହେବ । ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ କିଭଳି ନିଜର ଅର୍ଥନୈତିକ କ୍ଷେତ୍ରରେ ସୁଧାର ଆଣିପାରିବେ ସେନେଇ ଆଶାବାଦୀ ଅଛନ୍ତି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ