କଟକ: ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ) ଏହି ମାମଲା ରୁଜୁ କରିଛନ୍ତି ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାରର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି । ମାମଲାରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ରାଜନଗର ମାନଗ୍ରୋଭ ଫରେଷ୍ଟ ଡିଭିଜନର ସହକାରୀ ବନ ସଂରକ୍ଷକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏଡିଏମ୍, ମତ୍ସବିଭାଗ ଉପସଚିବଙ୍କୁ ନୋଟିସ୍ ଜାରି କରାଯାଇଛି ।
ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଆଇନଜୀବୀ ମୋହିତ ଅଗ୍ରୱାଲଙ୍କୁ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏଜିଏ ପି.କେ.ମୁଦୁଲି ମାମଲା ପରିଚାଳନା କରୁଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଫେବୃଆରୀ 4ରେ ଅଲିଭ ରିଡଲେ କଇଁଛଙ୍କ ପ୍ରସଙ୍ଗରେ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିରେ 2021 ଜାନୁଆରୀ ମାସରୁ 8 ଶହ ଅଲିଭ ରିଡଲେ କଇଁଛଙ୍କ ଓଡିଶା ଉପକୂଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ