ଭୁବନେଶ୍ବର: ଚଳନ୍ତା ଟ୍ରକ୍ ସାମ୍ନାରେ ଯୁବକଙ୍କୁ ବାନ୍ଧି ଜୋତାମାଳ ପିନ୍ଧାଇବା ଘଟଣା । ନିଜ ପଟୁ ମାମଲା ରୁଜୁ କଲେ ଓଡ଼ିଶା ମାନବାଧିକାର କମିଶନ (OHRC) । ଜଗତସିଂହପୁର ଏସ୍ପିଙ୍କୁ ନୋଟିସ ଜାରି କରିବା ସହ ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ OHRC ନିର୍ଦ୍ଦେଶ ଦେଇଛି । ପାରାଦ୍ବୀପରେ ମୋବାଇଲ ଚୋରି ପାଇଁ ଯୁବକଙ୍କୁ ଦଣ୍ଡ ଦେଇ ଭିଡିଓ ଭାଇରାଲ ହୋଇଥିଲା ।
ପ୍ରାୟ ଦୁଇ ଦିନ ତଳେ ଘଟିଥିଲା ଏଭଳି ନୃଶଂସ ଘଟଣା । ଯାହା ପାରାଦ୍ବୀପ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା । ଯୁବକ ଜଣକର ବେକରେ ପଡିଥିଲା ଜୋତାମାଳ । ଦୁଇ ହାତକୁ ଉପରକୁ ଉଠାଯାଇ ବନ୍ଧା ଯାଇଥିଲା । ସମ୍ପୂର୍ଣ୍ଣ ଏଭଳି ଅବସ୍ଥାରେ ଟ୍ରକ ଇଞ୍ଜିନ ସମ୍ମୁଖରେ ଯୁବକଙ୍କୁ ଝୁଲାଇ ରଖାଯାଇଥିଲା । ତାହା ପୁଣି ଟ୍ରକଟି ଚାଲୁଥିବା ଅବସ୍ଥାରେ । ଗାଡିଟି ଗଡୁଥିଲା ପାରାଦ୍ବୀପ ଭୁତମୁଣ୍ଡାଇ ବ୍ରିଜ ଉପରେ ।
ଏକ ଟ୍ରକରୁ କେନ୍ଦ୍ରାପଡାର ଜଣେ ବ୍ୟକ୍ତି ଏକ ମୋବାଇଲ ଫୋନ ଚୋରି କରି ଖସି ପଳାଉଥିଲା । ସେଠାରେ ଥିବା କେତେକ ଟ୍ରକ ଡ୍ରାଇଭର ମାନେ ବ୍ୟକ୍ତିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ତେବେ ଉକ୍ତ ଯୁବକଟିକୁ ଟ୍ରକରେ ଗୋଡ ହାତ ବାନ୍ଧି ଝୁଲାଇ ଟ୍ରକ ଚାଲିଥିଲା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ