ଭୁବନେଶ୍ବର: ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣା। କେନ୍ଦ୍ରାପଡା ଏସପିଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆରସି)। କେନ୍ଦ୍ରାପଡା ଜିଲ୍ଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟା ଘଟଣାରେ କମିଶନ ଏ ମାମଲାରେ ହସ୍ତକ୍ଷେପ କରିଛନ୍ତି। ଏହାର ଜବାବ ରଖିବାକୁ କମିଶନ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ୧ ତାରିଖରେ ରଞ୍ଜନଙ୍କ ମୃତଦେହ ମାର୍ଶାଘାଇ ଥାନା ଅନ୍ତର୍ଗତ ବରୁହାଁ ରାସ୍ତାକଡରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତାଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ତାଙ୍କ ଉପରେ ମଟର ସାଇକେଲ୍ ପକାଇ ଚାଲିଯାଇଥିଲେ । ମୃତକଙ୍କ ଭିଣୋଇ ବଳରାମ ଦାସ ଅଭିଯୋଗ କରିବା ପରେ ପୁଲିସ୍ ଶବକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲା । ହେଲେ ଏହା ପରେ ପୁଲିସ୍ କୌଣସି ପ୍ରକାର ତଦନ୍ତ ଆରମ୍ଭ କରିନାହିଁ କିମ୍ବା କାହାକୁ ଗିରଫ କରିନାହିଁ । ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନା ଓ ଅସନ୍ତୋଷ ସୃଷ୍ଟି ହେଉଛି।
କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି, ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ, ଛତୁଆ ଦୁର୍ନୀତି, ବିଜୁ ପକ୍କାଘର ନିର୍ମାଣରେ ଦୁର୍ନୀତିି ଆଦି ଖୁଲାସା କରିବା ସହ ମୃତକ ରଞ୍ଜନ ଦାସ ବିଭିନ୍ନ ସମୟରେ ଜିଲ୍ଲାପାଳ, ଭିଜିଲାନ୍ସ ଓ ଲୋକୟୁକ୍ତଙ୍କ ନିକଟରେ କେସ୍ କରିଥିଲେ। ଏତେ କେଳେଙ୍କାରୀର ପର୍ଦ୍ଦାଫାସ୍ ଯୋଗୁଁ ତାଙ୍କ ଜୀବନ ପ୍ରତି ସବୁବେଳେ ବିପଦ ଥିଲା । ଏ ସମ୍ପର୍କରେ ସେ ବାରମ୍ବାର ଅଭିଯୋଗ କରିଆସୁଥିଲେ।
ପୂର୍ବରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବିଷୟରେ ସେ ପାଟକୁରା ଥାନାରେ ଗତ ୧୧.୧୨.୨୦୧୯ ରେ ଅଭିଯୋଗ କରିଥିଲେ । ଯେଉଁଦିନ ତାଙ୍କୁ ହତ୍ୟା କରାଯାଇଥିଲା, ସେଦିନ ସେ ଘରେ ନଥିବା ବେଳେ ସଞ୍ଜୟ ରାଉତ ନାମକ ଜଣେ ଯୁବକଙ୍କ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ଚୋରି କରିନେଇଥିବା ସେ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । ହେଲେ ତାଙ୍କର କୌଣସି ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତାଙ୍କ ହତ୍ୟା ପରେ ତାଙ୍କ ଭିଣୋଇ କରିଥିବା ଅଭିଯୋଗ ଆଧାରରେ ପୁଲିସ୍ କେବଳ ମାମଲା ରୁଜ୍ଜୁ କରି (କେସ୍ ନଂ – ୨୪/୨୦୨୦) ଚୁପ୍ ବସିଛି ।
ମୃତକ ସୂଚନା ଅଧିକାର କର୍ମୀ ଜଣେ ଦଳିତ ଶ୍ରେଣୀର ଜାଣି ମଧ୍ୟ ଅନୁସୂଚିତ ଜାତି, ଜନଜାତି (ନିର୍ଯାତନା ନିବାରଣ) ଆଇନ, ୧୯୮୯ ଆଧାରରେ ଦଫା ଲଗାଇନାହିଁ । ମୃତ ରଞ୍ଜନ ଦାସ ଦ୍ବାରା ପୂର୍ବରୁ ଦାୟର ହୋଇଥିବା ଦୁଇଟି ଏତଲା ଓ ବର୍ତ୍ତମାନର ହତ୍ୟାକାଣ୍ଡ ଏତଲାକୁ ଏକତ୍ର କରି ତୁରନ୍ତ ତଦନ୍ତ, ପୋଲିସ୍ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟେକ୍ଷ ନିରୀକ୍ଷଣରେ ଏକ ତଦନ୍ତ ଟିମ୍ ଗଠନ, ଅନୁସୂଚିତ ଜାତି, ଜନଜାତି (ନିର୍ଯାତନା ନିବାରଣ) ଆଇନ, ୧୯୮୯ ଆଧାରରେ ଦଫା ଲଗାଇବା, ତାଙ୍କ ସୁରକ୍ଷା ଦେଇନଥିବା ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ଦାବି କରି ସୂଚନା ଅଧିକାର କର୍ମୀ ଓଏଚ୍ଆରସିରେ ପିଟିସନ୍ ଦାଖଲ କରିଥିଲେ ।
ସଂଯୁକ୍ତା ପାଣିଗ୍ରାହୀ, ପ୍ରଦୀପ ପ୍ରଧାନ, ଦେବେଶ ଦାଶ ଓ ଜିଆଉଦ୍ଦିନ ପ୍ରମୁଖ ସୂଚନା ଅଧିକାର କର୍ମୀ ଏହି ମାମଲାରେ ଆବେଦନକାରୀ ଅଛନ୍ତି। ମାର୍ଚ୍ଚ ୨ ତାରିଖ ସୁଦ୍ଧା କେନ୍ଦ୍ରାପଡା ଏସପିଙ୍କୁ ରିପୋର୍ଟ ଦାଖଲ ପାଇଁ କହିଥିବା ବେଳେ ସେହି ଦିନ ଏ ମାମଲାର ଶୁଣାଣି ହେବ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ