ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଆଗରେ ଆଜି(ଶନିବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାସଭବନକୁ ଟମାଟୋ ମାଡ଼ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ । ଯଦି ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ 7 ଦିନ ପରେ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।
ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଆଗ ପାଲଟିଛି ରଣକ୍ଷେତ୍ର । ମୁହାଁମୁହିଁ ହୋଇଛନ୍ତି ଛାତ୍ର କଂଗ୍ରେସ କର୍ମକର୍ତ୍ତା ଓ ପୋଲିସ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଛି । ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଛି । ପରେ ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ ହୋଇଛି । ଅପରାହ୍ନରେ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଏହି ଆନ୍ଦୋଳନ କରିଛନ୍ତି । ପ୍ରାୟ ଅଧଘଣ୍ଟା ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି ।
ଜାଲ ପ୍ରମାଣପତ୍ର ଜରିଆରେ ବିଭିନ୍ନ କଲେଜରେ ନାମଲେଖା ହୋଇଛି । ଭଦ୍ରକରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରେ ବିଜେବି କଲେଜରେ ଜାଲ କାଗଜପତ୍ରରେ ନାମ ଲେଖା ହୋଇଥିବା ଅଭିଯୋଗ ଆସିଛି । ଏଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି । ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ଜାଣତରେ ଏପରି ହୋଇଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।
ଏହା ସହ ସରକାରୀ ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସକୁ 20 ପ୍ରତିଶତ ହ୍ରାସ କରାଯାଇଛି । ଯାହାକୁ ବିରୋଧ କରୁଛି ଛାତ୍ର କଂଗ୍ରେସ । ଘରୋଇ ଅନୁଷ୍ଠାନକୁ ସୁହାଇବା ଲାଗି ମନ୍ତ୍ରୀ-ସଚିବ ଏପରି କରିଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ମନ୍ତ୍ରୀ ଇସ୍ତଫା ନଦେଲେ 7 ଦିନ ପରେ କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ