ଭୁବନେଶ୍ବର: STF ହାତରେ ଦୁଇ ବନ୍ୟପ୍ରାଣୀ ତସ୍କର । ହରିଣ ଛାଲ ଜବତ ସହ 2 ଅଭିଯୁକ୍ତଙ୍କୁ ଗିରଫ କଲା STF ଟିମ୍ । ବାଇକରେ ନେବା ସମୟରେ ୫ଟି ହରିଣ ଛାଲ ଜବତ କରାଯାଇଥିବା ସୂଚନା । ଗିରଫ ହୋଇଥିବା 2 ଅଭିଯୁକ୍ତ ହେଉଛନ୍ତି ବଳଙ୍ଗା କେତକି ପାଟଣାର କୃଷ୍ଣଚନ୍ଦ୍ର ସ୍ବାଇଁ, ନୀତିଗଡ ଗୋପର ସୁନିଲ କୁମାର ପଲେଇ । ଉଭୟ ପୁରୀ ଜିଲ୍ଲାର ହୋଇଥିବା ଜଣାପଡିଛି ।
ତେବେ ଏମାନେ କେଉଁଠୁ ହରିଣ ଛାଲ ଆଣିଲେ ସେନେଇ ତଦନ୍ତ ଆରମ୍ଭ କରିଛି STF । ଅନ୍ୟପଟେ ତଥ୍ୟ ଅନୁଯାୟୀ ୨୦୨୦ରୁ ଏଯାବତ ୧୨ ଟି ହରିଣ ଛାଲ ଜବତ କରାଗଲାଣି । ଏତେ କଟକଣା ସତ୍ତ୍ବେ କିପରି ହରିଣ ଛାଲ ବେପାର ଚାଲିଛି ତାହା ତଦନ୍ତ ସାପେକ୍ଷ ।
ପିପିଲି ଫ୍ଲାଏ ଓଭର କଡରେ ୫ହରିଣ ଛାଲ ଜବତ ଘଟଣା ପରେ ସାମ୍ନାକୁ ଆସିଛି ବନ୍ୟପ୍ରାଣୀ ତସ୍କରିଙ୍କ ଚାଲ । କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଉପରେ ବନ୍ୟପ୍ରାଣୀ ତସ୍କରିଙ୍କ ନଜର ପଡ଼ିଥିବା ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି STF । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି ଏସଟିଏଫ୍ । ଏନେଇ ଜବତ ହୋଇଥିବା ୫ଟି ହରିଣଛାଲ କିଏ ଶିକାର କରିଛି ଏବଂ ଏହା ପଛରେ ଆଉ କେଉଁ ତସ୍କରିଙ୍କ ହାତ ରହିଛି ସେନେଇ ଖୋଳତାଡ କରୁଛି ।
ବାଲୁଖଣ୍ଡ ଅଭୟାରଣ୍ୟରେ ଶିକାର କରି ପିପିଲି ହାଇଓ୍ବେ କଡ଼ରେ ବିକିବାକୁ ଯୋଜନା ଚାଲିଥିଲେ ବୋଲି ଏସଟିଏଫ୍ ସନ୍ଦେହ କରୁଛି । କାରଣ ଗିରଫ ଦୁଇ ଅଭିଯୁକ୍ତ ପୁରୀ ଅଞ୍ଚଳର। ତେଣୁ ଏସଟିଏଫ୍ ନଜର ଏବେ ବାଲୁଖଣ୍ଡ ଅଭୟାରଣ୍ୟ ଉପରେ । ଏଠାକୁ ଅନେକ ବିଦେଶୀ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଛନ୍ତି । ସେମାନଙ୍କ ଠାରୁ ଭଲ ପଇସା ପାଇବା ଆଳରେ ଏପରି ବନ୍ୟପ୍ରାଣୀ ଶିକାର କରି ବିକିବା ପାଇଁ ଯୋଜନା କରିଥାଇପାରନ୍ତି ବୋଲି STF ସନ୍ଦେହ କରୁଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ