ଭୁବନେଶ୍ବର: ଏପ୍ରିଲ ଶେଷ ସୁଦ୍ଧା ହେବ ଓଡିଶା ପିସିସି ସଭାପତି ପରିବର୍ତ୍ତନ। ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ହେବ ଅନ୍ତ । ବଦଳିବେ ଓଡିଶା ପିସିସି ସଭାପତି । ବାରମ୍ବାର ପରାଜୟ ବରଣ କରିବା ପରେ ଦଳକୁ ଶୃଙ୍ଖଳିତ ଓ ସୁଦୃଢ କରିବା ଏବଂ ଅସନ୍ତୋଷକୁ ହଟାଇବା ପାଇଁ କିଛି ନେତାଙ୍କୁ କେନ୍ଦ୍ରୀୟ ଦାୟିତ୍ବ ମଧ୍ୟ ଦିଆଯିବ।
ଆଉ ଏଥିରେ ସବୁଠାରୁ ଆଗରେ ଅଛନ୍ତି ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ହେଉଛି। ପିସିସି ମୁଖ୍ୟ ସହ ତିନୋଟି କାର୍ଯ୍ୟକାରୀ ସଭାପତି ଏବଂ ବହୁ ସାଧାରଣ ସମ୍ପାଦକ ଏବଂ ଉପସଭାପତି ଦାୟିତ୍ବ ଦେଇ ଥଇଥାନ କରାଯିବ। ଦଳ ବାହାରୁ ମଧ୍ୟ ନେତା ଆସିବା ନେଇ ସୂଚନା ମିଳିଛି। ନିରଞ୍ଜନଙ୍କ ନେତୃତ୍ବରେ ଦଳ ତଳକୁ ତଳକୁ ଯାଉଥିବା ବେଳେ ନେତୃତ୍ବକୁ ନେଇ ତୃଣମୂଳ ସ୍ତରର କର୍ମୀ ମୁହଁ ଫେରାଇଲେଣି । ତେବେ ଏହା ମଧ୍ୟରେ ନିଜର ଅସୁସ୍ଥତା ଓ ପଞ୍ଚାୟତ , ପୌର ନିର୍ବାଚନରେ ଶୋଚନୀୟ ପରାଜୟ ବରଣକୁ ଦର୍ଶାଇବା ସହ ପିସିସି ସଭାପତି ନିଜର ଇସ୍ତଫା ପତ୍ର ଦେଇସାରିଥିବା ଜଣାପଡିଛି ।
ପୂର୍ବରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ହାଇକମାଣ୍ଡ ଗ୍ରହଣ କରି ନଥିଲେ । ହେଲେ ଏଥର ନିରଞ୍ଜନଙ୍କ ଇସ୍ତଫାପତ୍ର ହୋଇ ସାରିଛି ଗ୍ରହଣ । ଖୁବଶୀଘ୍ର ନୂତନ ପିସିସି ସଭାପତିଙ୍କ ନାମ ଘୋଷଣା ହେବ । ସୋନିଆ ଗାନ୍ଧୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଧାୟକ ସୁର ରାଉତରାୟ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ