ଭୁବନେଶ୍ବର: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ତାରିଖ । 5ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର । ଫେବୃଆରୀ 16ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଫେବୃଆରୀ 26ରୁ 3 ଦିନ ଧରି ଭୋଟ ଗଣତି କରାଯିବ । ତେବେ ଭୋଟ୍ ଗଣତି ପରେ ବିଜୟ ଶୋଭାଯାତ୍ରା କରିହେବ ନାହିଁ । କୋଭିଡ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସକାଳ 7ରୁ ଅପରାହ୍ନ 1 ଯାଏଁ ଭୋଟ ପଡିବ । ଆଜିଠୁ ଫେବୃଆରୀ 28 ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ସମଗ୍ର ରାଜ୍ୟରେ ବଳବତ୍ତର ରହିବ । ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଆସନ୍ତା 13 ତାରିଖରେ ନିର୍ବାଚନ ନେଇ ନୋଟିସ ଜାରି ହେବ । ମନୋନୟନ ପତ୍ରଗୁଡ଼ିକ ନିର୍ଗମନ ଓ ପ୍ରଦାନ ତାରିଖ 17 ଜାନୁଆରୀରୁ 21 ଜାନୁଆରୀ ଧାର୍ଯ୍ୟ ହୋଇଛି । ଆସନ୍ତା 22 ତାରିଖରେ ମନୋନୟନ ପତ୍ର ଯାଞ୍ଚ ହେବ ।
ପ୍ରାର୍ଥୀତ୍ଵ ପ୍ରତ୍ଯାହାର ଓ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ଚୂଡାନ୍ତ ତାଲିକା 25 ଜାନୁଆରୀରେ ପ୍ରକାଶ ପାଇବ । ଫେବୃଆରୀ 16, 18, 20, 22 ଓ 24 ତାରିଖରେ ଭୋଟ ଗ୍ରହଣ ହେବ । ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ 26, 27, 28 ତାରିଖରେ ହେବ । ସେହିପରି ପରୋକ୍ଷ ନିର୍ବାଚନ ନାଏବ ସରପଞ୍ଚ 11 ମାର୍ଚ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ 12 ମାର୍ଚ୍ଚ, ଜିଲ୍ଲା ପରିଷଦ ସଭାପତି 13 ମାର୍ଚ୍ଚ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ 23 ମାର୍ଚ୍ଚ ଓ ଜିଲ୍ଲା ପରିଷଦ ଉପ-ସଭାପତି 25 ମାର୍ଚ୍ଚରେ ଧାର୍ଯ୍ୟ କରାଯାଇଛି ।
ଭାରତୀୟ ସମ୍ବିଧାନର ଧାରା 243-2 ଅନୁଯାୟୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ଅବଧି ପ୍ରଥମ ବୈଠକ ଠାରୁ ୫ ବର୍ଷ ଶେଷ ହେବା ପୂର୍ବରୁ ପୁର୍ନଗଠନ ହେବା ଆବଶ୍ୟକ । ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ଗତ ସାଧାରଣ ନିର୍ବାଚନ 13 ଫେବୃଆରୀ 2017 ଠାରୁ 21 ଫେବୃଆରୀ 2017 ମଧ୍ୟରେ ହୋଇଥିଲା । ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଯଥାକ୍ରମେ 10 ମାର୍ଚ୍ଚ 2017, 11 ମାର୍ଚ୍ଚ 2017, 12 ମାର୍ଚ୍ଚ 2017ରେ ଅନୁଷ୍ଠିତ ହୋଇଥିଲା । ସୁତରାଂ ଉପରୋକ୍ତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସାଧାରଣ ନିର୍ବାଚନ ତଥା ପୁନର୍ଗଠନ ଯଥାକ୍ରମେ 10 ମାର୍ଚ୍ଚ 2022, 11 ମାର୍ଚ୍ଚ 2022 ଓ 12 ମାର୍ଚ୍ଚ 2022 ପୂର୍ବରୁ ହେବା ଆବଶ୍ୟକ ।
ସାମ୍ବିଧାନିକ ବାଧ୍ୟବାଧକତାକୁ ପାଳନ କରିବା ନିମନ୍ତେ ଯଥା ସମୟରେ ନିର୍ବାଚନ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ କରିବା ଆବଶ୍ୟକ । ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକର ସାଧାରଣ ନିର୍ବାଚନ 2022 କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଜାନୁଆରୀ 8 ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି 10 ଜାନୁଆରୀରେ ରାଜ୍ୟର ପୋଲିସ ଡିଜି ଓ ଆଇଜି, ପୋଲିସ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସହିତ ବୈଠକ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ