ଭୁବନେଶ୍ବର: ସ୍ବାସ୍ଥ୍ୟକର୍ମୀଙ୍କ ଅଭିନବ ଭଙ୍ଗିରେ ଆନ୍ଦୋଳନ । ଏଥର ଆଉ କାଗଜ, କଲମ କି ବିକ୍ଷୋଭ ପ୍ରଦର୍ଶନ କରି ଦାବି ଜଣାଯାଇନି ବରଂ ଥାଳି ପିଟି ଦାବି ଜଣାଇଛନ୍ତି ଦୀର୍ଘ 22 ଦିନ ଧରି ଆନ୍ଦୋଳନରତ ସ୍ବାସ୍ଥ୍ୟକର୍ମୀ । ଗୋଟିଏ ଦାବି ସ୍ଥାୟୀ ନିଯୁକ୍ତି । ଯଦି କୋରୋନା ସମୟରେ ସରକାରଙ୍କୁ ସହଯୋଗ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆନଯାଏ, ତେବେ ଆଗାମୀ ଦିନରେ ସମୂହ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ସ୍ବାସ୍ଥ୍ୟକର୍ମୀ ।
ସୂଚନା ଅନୁଯାୟୀ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ନିକଟରେ ସ୍ବାସ୍ଥ୍ୟକର୍ମୀ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ 22 ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଟ୍ରେନିଂ ନେବାର ଦୀର୍ଘଦିନ ଧରି ଘରେ ବସି ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସରକାର କୋରୋନା ସମୟରେ କର୍ମ ନିଯୁକ୍ତି ଦେଇଥିଲେ । କିନ୍ତୁ ସରକାର ମହାମାରୀ ସମୟରେ ରୋଗୀସେବାରେ ନିୟୋଜିତ କରି ନିଜର ସ୍ବାର୍ଥ ହାସଲ ହେବାପରେ କାର୍ଯ୍ୟରୁ ବାହାର କରିଦେଇଥିବା ଆନ୍ଦୋଳନରତ ସ୍ବାସ୍ଥ୍ୟକର୍ମୀ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ସରକାର କହିଛନ୍ତି ଯେ, ଏହି ନିଯୁକ୍ତି କଣ୍ଟ୍ରାକ୍ଟଚ୍ୟୁଆଲ ଅର୍ଥାତ୍ ଠିକା ନିଯୁକ୍ତି ଥିଲା । ବର୍ତ୍ତମାନ ନିଯୁକ୍ତି ସମୟସୀମା ଶେଷ ହୋଇଛି । ଆଗାମୀ ଦିନରେ ମଧ୍ୟ ପୋଷ୍ଟିଂ ବାହାରିବ । ସେତେବେଳେ ଆବେଦନ କରି ଆଶାୟୀ ପ୍ରାର୍ଥୀ ନିଯୁକ୍ତି ପାଇପାରିବେ । କିନ୍ତୁ ଏସବୁ କୌଣସି କଥା ଶୁଣିବାକୁ ନାରାଜ ଆନ୍ଦେଳନରତ ସ୍ବାସ୍ଥ୍ୟକର୍ମୀ ।
ବର୍ତ୍ତମାନ ସମୟରେ ସ୍ଥାୟୀ ନିଯୁକ୍ତି ଦାବିରେ କେତେବେଳେ ଆତ୍ମାହୂତି ଉଦ୍ୟମ କରୁଛନ୍ତି ତ ଆଉ କେତେବେଳେ ଥାଳି ପିଟି ସରକାରଙ୍କୁ ଦାବି ଜଣାଉଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ସେମାନେ ସମୂହ ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ