ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର)ଠାରୁ ଆରମ୍ଭ ହେବ IPS କନଫରେନ୍ସ(IPS Conference) । ଏକାଠି ହେବେ ରାଜ୍ୟର ସମସ୍ତ IPS ଅଫିସର । ଆସନ୍ତା 18, ଶନିବାର ପର୍ଯ୍ୟନ୍ତ ଚାଲିବ ଆଲୋଚନା । ତେବେ ଏଥର ବୈଠକରେ କିଏ ରଣନୀତି ପ୍ରସ୍ତୁତ କରିବେ ସେନେଇ ସନ୍ଦେହ ।
କାରଣ ପ୍ରତିବର୍ଷ DGPଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥାଏ । ହେଲେ ଏଥର DGPଙ୍କ କାର୍ଯକାଳ ଆସନ୍ତା ୩୧ ଡିସେମ୍ବରରେ ସରୁଛି । ତେଣୁ ପରବର୍ତ୍ତୀ ଡିଜିଙ୍କ ରଣନୀତି କିପରି ରହିବ, ତା' ଉପରେ ସମସ୍ତଙ୍କ ନଜର । ଏହା ପୂର୍ବରୁ IPS କନଫରେନ୍ସ ଥିବାରୁ କେଉଁ ପ୍ରସଙ୍ଗ ଆସନ୍ତା ବର୍ଷ ପୋଲିସ ପାଇଁ ଚାଲେଞ୍ଜିଂ ହେବ ତାହା ହେବ କନଫରେନ୍ସର ଗୁରୁ ମନ୍ତ୍ର । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ ।
ତେବେ ଆସନ୍ତା ବର୍ଷ ପୋଲିସ ପାଇଁ କେଉଁ କେଉଁ ପ୍ରସଙ୍ଗ ଅଧିକ ଗୁରୁତ୍ବ ରହିବ, ତାହା ଉପରେ ନଜର ପକାନ୍ତୁ
୨୦୨୨ ନିର୍ବାଚନ:-
୨୦୨୨ ଆରମ୍ଭରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ଏହାପରେ ପୌର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଏକ ଗୁରୁତର ସମସ୍ୟା । ଯାହା ପୋଲିସକୁ ମୁକାବିଲା କରିବା ପାଇଁ ଚାଲେଞ୍ଜ ସୃଷ୍ଟି କରିବ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରିତ କଲେ ବାକି କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇପାରିବ । କାରଣ ରାଜ୍ୟରେ ମାଳମାଳ ପ୍ରସଙ୍ଗ ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।
ମାଓବାଦୀ ମୁକାବିଲା
ରାଜ୍ୟର ସୀମାନ୍ତରେ ସକ୍ରିୟ ଅଛନ୍ତି ମାଓବାଦୀ । ରାଜ୍ୟରେ ମାଓ ଗତିବିଧି କମିଥିଲେ ବି ନିର୍ବାଚନ ପୂର୍ବରୁ ପୋଲିସ ପାଇଁ ଏହା ଆଉ ଏକ ଚାଲେଞ୍ଜ ସୃଷ୍ଟି କରିବ । ଅନ୍ୟପଟେ ଅନେକ ମାଓବାଦୀ ଏବେ ଓଡିଶା ମୁହାଁ ହୋଇଛନ୍ତି । ମାଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପୋଲିସ ପାଇଁ ବଡ ଚାଲେଞ୍ଜ ହେବ ।
ମହିଳା ସୁରକ୍ଷା:-
ନୀତି ଆୟୋଗର ରିପୋର୍ଟ ଓ ରାଜ୍ୟର ମହିଳା ସୁରକ୍ଷା ଦୃଷ୍ଟିରେ ଏହା ଏବେ ରାଜ୍ୟ ପାଇଁ ବଡ ସମସ୍ୟା । ମହିଳାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଓ ଲୋକଙ୍କ ଆସ୍ଥା ଭାଜନ ଏକ ବଡ ଚାଲେଞ୍ଜ ହେବ । ଏନେଇ ବିରୋଧିଙ୍କ ଘନ ଘନ ପ୍ରସଙ୍ଗ ସତ୍ତ୍ବେ ମହିଳା ସୁରକ୍ଷା ନେଇ ମୁକାବିଲା କରିବା ଏଥର କନଫେରନ୍ସରେ ବଡ ପ୍ରରସଙ୍ଗ ହେବ ।
ସାଇବର ଅପରାଧ:-
ରାଜ୍ୟରେ ସାଇବର ଅପରାଧ ଏବେ ନିୟନ୍ତ୍ରଣ ବାହାରେ । ଏନେଇ ମୁକାବିଲା ପାଇଁ କଟକ ଭୁବନେଶ୍ୱରରେ ସ୍ବତନ୍ତ୍ର ସେଲ ଖୋଲାଯାଇ ଥିବାବେଳେ ଆସୁଛି ଗଣ୍ଡା ଗଣ୍ଡା ଅଭିଯୋଗ । ନିରିହ ଲୋକଠୁ ଆରମ୍ଭ କରି ସରକାରୀ ଚାକିରିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ଠକାମୀର ଶିକାର କରୁଛନ୍ତି ସାଇବର ଅପରାଧି । ଏନେଇ ମୁକାବିଲା କରିବା ଓ ବାକି ଜିଲ୍ଲାମାନଙ୍କ ପାଇଁ ଷ୍ଟ୍ରାଟେଜି କରିବା ଆଉ ଏକ ମୁଖ୍ୟ ପ୍ରସଙ୍ଗ ହେବ । ସେହିପରି ଅନଲାଇନରେ ଶିଶୁ ଯୌନ ଶୋଷଣ ଭଳି ପ୍ରସଙ୍ଗ ମଧ୍ୟ ଏକ ବଡ ବିଷୟ ହେବ, ଯାହାକୁ ନେଇ ସମସ୍ତ ଜିଲ୍ଲାର ଏସପିମାନଙ୍କ ସହ ପ୍ରସ୍ତୁତ କରାଯିବ ରଣନୀତି ।
ହକି ବିଶ୍ବକପ ଓ କ୍ରିକେଟ ମ୍ୟାଚ:-
ସେହିପରି ଆଗକୁ ଆସୁଛି ହକି ବିଶ୍ବକପ । ଯାହାକୁ ନେଇ ଭିଭିଆଇପି ଓ ଖେଳାଳିଙ୍କ ସୁରକ୍ଷା ବଡ ପ୍ରସଙ୍ଗ । କିପରି ଏଦିଗରେ ରଣନୀତି ପ୍ରସ୍ତୁତ ସହ ଦୁଇ ସହର ଉଭୟ ରାଜଧାନୀ ସମେତ କଟକ ଓ ରାଉରକେଲାରେ ପୋଲିସ ବ୍ୟବସ୍ଥା ମଧ୍ୟ ଏକ ପ୍ରସଙ୍ଗ ହେବ ।
ଏସବୁ ବାଦ ନୂଆ ଡିଜିପି ଭାବେ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ବର୍ତ୍ତମାନର ଡିଜି ମାତ୍ର ଆଉ ୧୫ ଦିନ ପାଇଁ କାମ କରିବାକୁ ଥିବାବେଳେ ପରବର୍ତ୍ତି ଡିଜିଙ୍କ ଆକ୍ସନ ପ୍ଲାନ କଣ ରହିବ । ଯାହା ଏଥର କନଫେରନ୍ସରେ କିଭଳି ଏସବୁ ବିଷୟ ଆଲୋଚନା ହେବ ପରେ ତାକୁ କିପରି ପରବର୍ତ୍ତି ଡିଜି ଗ୍ରହଣ କରିବେ ଓ ତାଙ୍କର ଆକ୍ସନ ପ୍ଲାନ କଣ ରହିବ ତାହା ଏବେଠୁ ଆକଳନ କରିବା ବଡ ବିଷୟ ହେବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ