ଭୁବନେଶ୍ବର : ଚାଷୀ ଓ ଚାଷକୁ ନେଇ ବିଜେଡ଼ି ଭାଜପା ଖେଳ ବନ୍ଦ କରନ୍ତୁ । ମିଥ୍ୟା, ପ୍ରବଚନ ଓ ଠକାମିର ଶିକାର ହୋଇ ଚାଲିଛନ୍ତି ଓଡ଼ିଶାର କୋଟି କୋଟି ଚାଷୀ ପରିବାର । ବର୍ତମାନ ଚାଷୀକୂଳ ସାର ପାଇଁ ଡ଼ହଳ ବିକଳ ହେଉଥିବାବେଳେ ସାର ଅନେକ ଯାଗାରେ କଳାବଜାରରେ ବିକ୍ରି ହେଉଛି । ବାଧ୍ୟ ହୋଇ ଚାଷୀ କିଣୁଛନ୍ତି । ଠିକ୍ ଏପରି ଏକ ଦୁଃସ୍ଥିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକେୟା ସାର ପାଇଁ କେନ୍ଦ୍ର ପାଖରେ ନିବେଦନ ପତ୍ର ଦାଖଲ କରିଛନ୍ତି ବୋଲି କହିଛି କଂଗ୍ରେସ । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ସରକାର ଉପରେ ଏପରି ଢଙ୍ଗରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।
କଂଗ୍ରେସ କହିଛି, କେନ୍ଦ୍ରରେ ଥିବା ଭାଜପା ସରକାର ଓ ରାଜ୍ୟ ସରକାର ଅଯଥା ଅଭାବୀ ସୃଷ୍ଟି କରୁଥିବା ବେଳେ ରାଜ୍ୟରେ ସାର ମହଜୁଦ ଅଛି ବୋଲି କହି ଚାଲିଛନ୍ତି । ଉଭୟ ବିଜେଡ଼ି ଓ ବିଜେପି ସରକାର ଖେଳୁଛନ୍ତି ବୋଲି ପଞ୍ଚାନନ । ବିଜେପି ଓ ବିଜେଡି ମଧ୍ୟରେ ଭିତିରି ସମ୍ପର୍କ ରହିଛି । ଚାଷୀ ବିରୋଧି ବିଲ୍ ସବୁକୁ ସମର୍ଥନ କରି ଆସିଛି ବିଜେଡି । ହେକ୍ଟର ପିଛା ବାର୍ଷିକ ହାରାହାରି ୧୦୦ କିଲୋଗ୍ରାମ ମଧ୍ୟ ସାର ବ୍ୟବହାର ହୁଏ ନାହିଁ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ହେକ୍ଟର ପିଛା ୧୨୨ କିଲୋଗ୍ରାମ, ଆନ୍ଧ୍ର, ତେଲେଙ୍ଗାନାରେ ୧୩୮ କିଲୋ, ଛତିଶଗଡ଼ରେ ୧୦୦ କିଲୋ ଥିବାବେଳେ ଓଡ଼ିଶାର ୯୮ କିଲୋଗ୍ରାମ ବ୍ୟବହାର ହୋଇଥାଏ ।
ରାଜ୍ୟକୁ ଆବଶ୍ୟକ ଥିବା ସାର ପରିମାଣ ସମ୍ପର୍କରେ ତଥ୍ୟ ଦେଇ ପଞ୍ଚାନନ କହିଛନ୍ତି, ଖରିଫ ଫସଲ ପାଇଁ ପୁରା ରାଜ୍ୟର ଆବଶ୍ୟକତା ସରକାରୀ ଆକଳନ ଅନୁସାରେ ୨,୧୦,୦୦୦ ଟନ ୟୁରିଆ ଆବଶ୍ୟକତା ଥିବାବେଳେ ମାତ୍ର ୧ଲକ୍ଷ ୪୫,୧୪୫ ମେ.ଟ ମିଳିଛି । ସେହିପରି ୧ଲକ୍ଷ ୪୫,୧୪୫ ମେ.ଟ ଡ଼ି.ଏ.ପି ସାର ଆବଶ୍ୟକ ଥିବା ବେଳେ ମିଳିଛି ୧,୪୫,୦୦୦ ଟନ । ଏନ୍.ଟି.ପି ୬୦ ହଜାର ଟନ ମେ.ଟ ଆବଶ୍ୟକ ଥିବାବେଳେ ମିଳିଛି ୪୨, ୮୬୭ ମେ.ଟ । ଏନ୍.ପି.କେ ୧,୪୨ ହଜାର ଟନ ଆବଶ୍ୟକ ଥିବାବେଳେ ମାତ୍ର ୧,୦୫,୭୯୮ ମେଟ୍ରିକ୍ ଟନ ମିଳି ପାରିଛି । ସେହିପରି ଓଡ଼ିଶାରେ ମୋଟ ୫,୫୦୦୦୦ ଟନ ଆବଶ୍ୟକ ଥିବାବେଳେ ଛତିଶ୍ଗଡ଼ ୬ଲକ୍ଷ ୬୫ ହଜାର ଟନ ବ୍ୟବହାର କରିଛି ।
ପଞ୍ଚାନନ ଆହୁରି ମଧ୍ୟ କହିଛନ୍ତି ,ଓଡ଼ିଶାରେ ୧୯୫୫ ମସିହାରେ କଂଗ୍ରେସ ସରକାର ସମୟରେ ସବୁ ସାର କାରଖାନା ଓଡ଼ିଶାର ପ୍ରତିଷ୍ଠା ହୋଇଛି । ତାଳଚେର ସାର କାରଖାନା, ରାଉରକେଲା ସାର କାରଖାନା, ପି.ପି.ଏଲ, ଅସୱାଲ ଯାହାକି ଏକ ଭଲ ସାର ଉତ୍ପାଦନକାରୀ କାରଖାନା ଭାବେ ଚାଲିଛି । ନବୀନବାବୁ ୨୨ ବର୍ଷର ଶାସନ କାଳରେ ସାର ଉତ୍ପାଦନ କେନ୍ଦ୍ରଟିଏ ବସାଇ ନାହାନ୍ତି । କେବଳ ଯାହା ଖଣି ଖାଦାନ ଲୁଟ କରି ଦଳୀୟ ପାଣ୍ଠି ସଂଗ୍ରହ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେଉଁଥି ପାଇଁ ରାଜ୍ୟରେ ଚାଷୀର ଏହି ଦୁର୍ଦ୍ଦଶା ଘଟୁଛି ।
୨୦୧୯ ପୂର୍ବରୁ ପ୍ରଚାର କରାଗଲା ତାଳଚେର ଠାରେ ଗୋଟିଏ ସାରକାରଖାନା ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ମୋଦି ୨୦୧୮ ସେପ୍ଟେମ୍ବର ମାସରେ ଶୁଭ ଦେବା ସହ ୩୬ ମାସ ଭିତରେ ଶେଷ ହେବା ନେଇ କହିଲେ କିନ୍ତୁ ତାହା ହେଲା ନାହିଁ । ଓଡ଼ିଶାର କୋଇଲା, ଲୁହାପଥର ଅଛି କିନ୍ତୁ ଓଡ଼ିଶାର ଚାଷୀ ପାଇଁ ସାର କାରଖାନାଟିଏ ବସାଗଲା ନାହିଁ ।
ତାଳଚେର ବନ୍ଦ ହୋଇପଡିବା ସହ ନାଇଟ୍ରୋଜେନ ବ୍ୟବହାର କରି ଆମୋନିଆ ସାର ଉତ୍ପାଦନ ପାଇଁ ରାଉରକେଲା କାରଖାନାକୁ ଶାଗ ମାଛ ଦରରେ ଏକ ଘରୋଇ କମ୍ପାନୀ ଦୀପକ ଫଟିଲାରଜର ଆଣ୍ଡ ପେଟ୍ରୋ କେମିକାଲସ୍କୁ ବିକ୍ରି କରି କେନ୍ଦ୍ର ଓ ରାଜ୍ୟ ସରକାର ହାତ ଚିକ୍କଣ କରିବାର ଉଦ୍ୟମ କରି ନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି କାନୁନଗୋ । କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଆଜିର ଏହି ଅବସ୍ଥା ପାଇଁ ଦାୟୀ ବୋଲି କଂଗ୍ରେସ ଦାବି କରିଛି । ତୁରନ୍ତ କେନ୍ଦ୍ର ରାଜ୍ୟର ସମସ୍ତ ଆବଶ୍ୟକ ସାର ପୂରଣ କରୁ ନଚେତ କଂଗ୍ରେସ ଚାଷୀଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ପଞ୍ଚାନନ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସେବାଦଳର ମୁଖ୍ୟ ସଂଗଠକ ତଥା ପିସିସି ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଯଜେ୍ଞଶ୍ୱର ବାବୁ, ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ