ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଭାୟା ହୋଇ ତିରିଶଟି ଟ୍ରେନ ଯାତାୟାତ କରୁଛି । ସେଥିରୁ ୯ଟି ଟ୍ରେନରେ ପାଞ୍ଚରୁ ସାତ ହଜାର ଯାତ୍ରୀ ଭୁବନେଶ୍ୱର ଷ୍ଟେସନରୁ ଯିବା ଆସିବା କରୁଛନ୍ତି । ପଶ୍ଚିମବଙ୍ଗରେ ଦେଖାଦେଇଥିବା ଟ୍ରିପଲ ମ୍ୟୁଟାଣ୍ଟ ଭୟାବହତାକୁ ଦୃଷ୍ଟିରେ ରଖି ଯାଞ୍ଚକୁ କଡାକଡି କରାଯାଇଛି ।
ଭୁବନେଶ୍ୱର ରେଳ ଷ୍ଟେସନରେ ବିଏମସି ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା କରାଯାଇଛି । 6 ନମ୍ବର ପ୍ଲାଟଫର୍ମ ବନ୍ଦ ଥିବାବେଳେ ଏକ ନମ୍ବର ପ୍ଲାଟଫର୍ମ ଦେଇ ପ୍ରବେଶ ଓ ପ୍ରସ୍ଥାନ ହେଉଛି । ତେଣୁ, ଉଭୟ ଫାଟକରେ ବିଏମସି ସ୍ୱତନ୍ତ୍ର ଟିମ ଓ ଆରପିଏଫ ନିୟୋଜିତ ଅଛନ୍ତି । କୌଣସି ପରିସ୍ଥିତିରେ କେହି ଖସି ଯିବାର ପ୍ରଶ୍ନ ଉଠୁନାହିଁ । ମୁଖ୍ୟତଃ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡା ନଜର ରହିଛି ଏବଂ ସେମାନଙ୍କ ନେଗେଟିଭ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।
ପଶ୍ଚିମବଙ୍ଗରେ କୋଭିଡ ଟ୍ରିପଲ ମ୍ୟୁଟାଣ୍ଟ ଭୂତାଣୁ ଚିହ୍ନଟ ହେବା ପରେ, ଗତକାଲି(ଗୁରୁବାର) ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବଙ୍ଗ ଫେରନ୍ତାଙ୍କ ଉପରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ରେଲୱେ ଷ୍ଟେସନ ଉପରେ ମଧ୍ୟ ବିଏମସିର କଡା ନଜର ରହିଛି ।
ସେହିପରି ବାଲେଶ୍ଵର ରେଲୱେ ଷ୍ଟେସନରେ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ଓ କୋଭିଡ ସଂକ୍ରମିତ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ ସହ ଆଣ୍ଟିଜେନ୍ ଟେଷ୍ଟିଂ କରାଯାଉଛି । ଯେଉଁମାନଙ୍କ ପଜିଟିଭି ଆସୁଛି ସେମାନଙ୍କୁ କ୍ଵରେଣ୍ଟାଇନକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।
ବାଲେଶ୍ଵର ପୌରାଞ୍ଚଳର ଷ୍ଟାଫଙ୍କ ସମେତ ଷ୍ଟେସନରେ ପୋଲିସ ଉପସ୍ଥିତ ରହିଛି । ଅସ୍ଥାୟୀ ଭାବେ ସହରର ଗଙ୍ଗାଧର କଲ୍ୟାଣ ମଣ୍ଡପକୁ ଟିଏମସି କରାଯାଇଛି । ପଶ୍ଚିମବଙ୍ଗରୁ ବାଲେଶ୍ଵର ଆସୁଥିବା ପ୍ରବାସୀ ମାନେ ଓଡ଼ିଶା ଭିତରକୁ ପ୍ରବେଶ ପୂର୍ବରୁ ଶେଷ 48 ଘଣ୍ଟା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଉଭୟ ଡୋଜ ଟୀକା ନେଇଥିବା ବ୍ୟକ୍ତିମାନଙ୍କୁ ଘରେ କ୍ବାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି କରୋନା ପଜିଟିଭ ମାନଙ୍କୁ କ୍ଲଷ୍ଟର ଟିଏମସିରେ ରଖାଯିବା ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଏବଂ ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ