ଭୁବନେଶ୍ବର: "49ରୁ 12 ଗଲେ କେତେ ? ଶିକ୍ଷକଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ଯେଉଁ ରିପୋର୍ଟର, ସେହି ସାମ୍ବାଦିକଙ୍କ ନାଁରେ ଥାନାରେ ଏତଲା ହୋଇଛି । ଯଦି ତାହା ହୋଇଥାଏ, ତେବେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୁନା ପଦାରେ ପଡିଛି ।" ଏହା କହିଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ସରକାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିଶିକାନ୍ତ ମିଶ୍ର ।
ନିଶିକାନ୍ତ କହିଛନ୍ତି ଯେ, "ରାଜ୍ୟ ସରକାର ଶିକ୍ଷାର ମାନକୁ ନେଇ ନିନ୍ଦିତ ହେଉଛନ୍ତି । ଏହି କଥାକୁ ଯେଉଁ ରିପୋର୍ଟର ଲୋକ ଲୋଚନକୁ ଆଣିଥିଲେ, ଏବେ ସରକାର ତାଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନେଇଛନ୍ତି । ଯଦି ଏହା ହୋଇନଥାନ୍ତା, ଯେଉଁ ଶିକ୍ଷକ ରାଜକୋଷରୁ ଟଙ୍କା ନେଉଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ଯିଏ ସତ ଲୋକଲୋଚନକୁ ଆଣିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥାନ୍ତା ।"
ଯାହା ହେଉଛି ତାହା ସାଧାରଣ ଲୋକ ବିଚାର କରିବେ । ଶିକ୍ଷା ବିଭାଗର ନଗ୍ନ ଚିତ୍ର ଗଣମାଧ୍ୟମ ଦେଖାଉଛି । ଆଉ ଆଗକୁ ଏତେ ନଗ୍ନତା ଶିକ୍ଷା ବିଭାଗରେ ନଆସୁ ତେଣୁ, ସରକାର ଆଗୁଆ ରୋକ ଲଗାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଭବନେଶ୍ବର