ଭୁବନେଶ୍ବର: ଏକକାଳୀନ ୩୦ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବନିଯୁକ୍ତି ଇଞ୍ଜିନିୟରଙ୍କୁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଜରିଆରେ ସ୍ବାଗତ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ 30 ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ପତ୍ର ମିଳିଛି । ନିଯୁକ୍ତି ପରେ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି । ନବ ନିଯୁକ୍ତ ଇଞ୍ଜିନିୟରମାନେ ଗ୍ରାମ୍ୟ ଉନ୍ନୟନ ପୂର୍ତ୍ତ ଓ ଶକ୍ତି ବିଭାଗରେ କାମ କରିବେ ।
ଓଡ଼ିଶା ବିଦ୍ୟୁତ ଉତ୍ପାଦନର ବଳକା ରାଜ୍ୟ । ଏହାସହ ରାଜ୍ୟର ସାମଗ୍ରୀକ ବିକାଶରେ ଶକ୍ତି ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ସେଥିପାଇଁ ଏହାକୁ ପ୍ରାଥମିକତା ଦିଆଯାଉଛି । ଶକ୍ତି ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ଭଲ କାମ କରୁଛି । ରାଜ୍ୟରେ ଏଲଇଡି ଯୋଜନାରେ ପ୍ରାୟ ୪ କୋଟି ଏଲଇଡି ବଲ୍ବ ବିତରଣ ହେଲାଣି । କାର୍ଯ୍ୟକ୍ଷେତ୍ରରେ 5T ମନ୍ତ୍ର ଆପଣେଇବାକୁ ଏବଂ ମୋ ସରକାର ମାଧ୍ୟମରେ ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇବାକୁ ନବ ନିଯୁକ୍ତ ଇଞ୍ଜିନିୟରଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିରୁ ଶକ୍ତିମନ୍ତ୍ରୀ ଭିସି ମାଧ୍ୟମରେ ଯୋଡ଼ି ହୋଇଥିଲେ । ଇଞ୍ଜିନିୟରମାନଙ୍କୁ ରାଜ୍ୟ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ଯନ୍ତ୍ରୀଙ୍କୁ ମନ୍ତ୍ରୀ ଉତ୍ସାହିତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନବନିଯୁକ୍ତ ଇଞ୍ଜିନିୟରଙ୍କୁ ଉତ୍ସାହିତ କରିଛନ୍ତି । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ୍ ପରିଚାଳନା କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ