ଭୁବନେଶ୍ବର: ରାଜ୍ୟରେ ବୈଦ୍ୟୁତିକ ଯାନ( Electric Vehicle -EV) କ୍ଷେତ୍ରରେ ବୃଦ୍ଧି ପାଇଁ ଓଡିଶା ସରକାର ବଡ ଘୋଷଣା କରିଛନ୍ତି । ବୈଦ୍ୟୁତିକ ଯାନ ଗ୍ରାହକଙ୍କ ପାଇଁ ୩୧.୧୨.୨୦୨୫ ପର୍ଯ୍ୟନ୍ତ ରିହାତି(subsidy) ଦେବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସୋମବାର ଘୋଷଣା କରିଛି । ୨୦୨୧ ସେପ୍ଟେମ୍ବର ପହିଲାରୁ ପିଛିଲା ଭାବେ ଏହି ରିହାତି ଲାଗୁ ହେବ ।
ପରିବହନ ବିଭାଗର ଚିଠି ଅନୁଯାୟୀ, ସରକାର ରିହାତି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(RTO) ଦ୍ବାରା ପଠାଇବେ । ବ୍ୟବହାରକାରୀ ସେମାନଙ୍କର ବୈଦ୍ୟୁତିକ ଯେଉଁ RTO ଅନ୍ତର୍ଗତ ପଞ୍ଜୀକୃତ ହୋଇଥିବ ସେଠାରୁ ରିହାତି ଅର୍ଥ ଲାଭ କରିପାରିବେ । ସରକାର ଦୁଇ ଚକିଆ ଯାନ ପାଇଁ ବୈଦ୍ୟୁତିକ ଯାନ ମୂଲ୍ୟର ୧୫ ପ୍ରତିଶତ ବା ପ୍ରାୟ ୫୦୦ ପର୍ଯ୍ୟନ୍ତ, ତିନିଚକିଆ ଯାନ ପାଇଁ ୧୦,୦୦୦ ପର୍ଯ୍ୟନ୍ତ ଓ ଚାରି ଚକିଆ ଯାନ ପାଇଁ ୫୦,୦୦୦ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ଦେବାପାଇଁ ଓଡିଶା ସରକାର ଗତବର୍ଷ ସେପ୍ଟେମ୍ବର ୨ରେ ଓଡିଶା ବୈଦ୍ୟୁତିକ ଯାନ ନିୟମ ୨୦୨୧(Odisha Electric Vehicle Policy) ଆଣିଥିଲେ । ଏହି ନିୟମ ଅନୁଯାୟୀ ସରକାର, ଗ୍ରାହକ, ବିକ୍ରେତା ଓ ବିଦ୍ୟୁତ ବ୍ୟାଟେରୀ ନିର୍ମାତା ଓ ଚାର୍ଜିଂ ଷ୍ଟେସନ ଗୁଡିକୁ ବିଭିନ୍ନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହାର ପ୍ରଥମ ପଦକ୍ଷେପ ଅନୁଯାୟୀ, ସରକାର ପଞ୍ଜୀକରଣ ଫିସ୍ ଓ ସମସ୍ତ ପ୍ରକାର ବିଦ୍ୟୁତ ଚାଳିତ ମୋଟର ଯାନର ଟାକ୍ସ ଗତବର୍ଷ ଅକ୍ଟୋବର ୨୯ରେ ଛାଡ କରିବାକୁ ଘୋଷଣା କରିସାରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ