ଭୁବନେଶ୍ବର: ରାଜ୍ୟର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା । ରାଜ୍ୟରେ ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୧,୬୭,୯୬,୬୦୩ ଜଣ ପୁରୁଷ, ୧,୬୧,୮୩,୮୩୫ ଜଣ ମହିଳା ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ହୋଇଛି । ଗତ ନଭେମ୍ବର ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ।
ଭୋଟର ମାନଙ୍କର ଦାବି ଆପତ୍ତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮,୬୫,୫୭୦ ଗୋଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨,୦୨,୧୦୧ ଅର୍ଥାତ୍ ୬୪.୪୪% ଦାବି ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ 6,63,469 ଅର୍ଥାତ୍ 35.56% ଦାବି ଓ ଆପତ୍ତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।
ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ୩୭,୬୦୬ ଗୋଟି ବୁଥରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏ ନେଇ ଆଜି(ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ୩,୪୪,୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି । ଭୋଟର ତାଲିକାରେ ଥିବା ୩,୮୨,୬୦୧ ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।
୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪,୧୦,୦୭୬ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି । ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ୫,୨୩,୭୪୪ ହୋଇଛି । ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାରେ ରାଜ୍ୟର ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧,୬୭,୯୬,୬୦୩ ଜଣ ପୁରୁଷ ଓ ୧,୬୧,୮୩,୮୩୫ ଜଣ ମହିଳା ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।
୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୫,୫୨,୨୦୨ ଜଣ ଭୋଟର ଥିଲେ । ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଅଛନ୍ତି । ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪ % ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଛି । ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭% ରେ ପହଞ୍ଚିଛି । ୨୦୨୧ ମସିହାର ଚୂଡାନ୍ତ ଭୋଟର ତାଲିକାରେ ୯୮.୬୬ % ଭୋଟରଙ୍କ ଫଟୋ ଥିବା ବେଳେ ଚଳିତ ବର୍ଷ ଅର୍ଥାତ ୨୦୨୨ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ ୯୯.୭୪ % ହୋଇଛି ।
୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର ଅନୁପାତ ୯୫୮ ଥିଲା । ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି । ସେହିପରି ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ୩,୩୮,୪୫୮ ଜଣ ଭୋଟରଙ୍କ ଫଟୋ ତାଲିକାରେ ନଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି । ଭୋଟର ତାଲିକା ପ୍ରସ୍ତୁତିର ଶୁଦ୍ଧିକରଣରେ ଆଶାନୁରୂପ ଗୁଣାତ୍ମକ ଅଭିବୃଦ୍ଧି ଘଟିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
୨୦୨୧ ମସିହାର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକ ସଂଶୋଧନ ନିମନ୍ତେ ମାତ୍ର ୭% ଭୋଟର ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ । ବ୍ୟାପକ ପ୍ରଚାର ପ୍ରସାର ଓ ସମସ୍ତ ହିତାଧିକାରୀଙ୍କ ଅଂଶ ଗ୍ରହଣ ଯୋଗୁଁ ୨୦୨୨ ମସିହାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଅନଲାଇନ ମାଧ୍ୟମରେ ୬୪% ରୁ ଅଧିକ ଭୋଟର ଆବେଦନ କରିଛନ୍ତି । ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ ସମ୍ପୁର୍ଣ୍ଣ ମାଗଣାରେ ସ୍ପିଡପୋଷ୍ଟ ମାଧ୍ୟମରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ କିମ୍ବା ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳ ମାନଙ୍କୁ ବିନା ମୂଲ୍ୟରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ଆଜି ଠାରୁ ଉପଲବ୍ଧ ହୋଇପାରିବ । ସମସ୍ତ ଭୋଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ www.ceoorissa.nic.in ରେ ତନଖି କରିପାରିବେ । ଏହା ବ୍ୟତୀତ ଚଳିତ ଚୂଡାନ୍ତ ଭୋଟର ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ । ତା ହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ www.nvsp.in କୁ ଯାଇ ଏକକ ମୋବାଇଲ୍ ମାଧ୍ୟମରେ ସେମାନଙ୍କର e-EPIC ମଧ୍ୟ ଡାଉନଲୋଡ କରି ନିଜ ମୋବାଇଲରେ ରଖି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ