ଭୁବନେଶ୍ବର: ସମନ୍ବିତ ଜଳ ପରିଚାଳନାରେ ରାଜ୍ୟ ସରକାର ବିଫଳ । ଦିନକୁ ଦିନ ଜାତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତଳକୁ ଖସି ଆସୁଛି। କେବଳ କାଗଜ କଲମରେ ରାଜ୍ୟରେ ଜଳ ପରିଚାଳନା ଚାଲିଥିବା ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ। ଏହି ସମୟରେ ସେ ନୀତି ଆୟୋଗର ଏକ ରିପୋର୍ଟ ସମ୍ପର୍କରେ ମଧ୍ୟ କହିଥିଲେ । ଯେଉଁଥିରେ 17ଟି ରାଜ୍ୟ ତାଲିକାରେ ଓଡିଶା ଚତୁର୍ଦ୍ଦଶ ସ୍ଥାନକୁ ଖସି ଆସିଛି ବୋଲି ଉଲ୍ଲେଖ ରହିଛି ।
ଜଳସମ୍ପଦ ପରିଚାଳନା, ସଂରକ୍ଷଣ ଓ ବିନିଯୋଗରେ ଫେଲ ମାରିଛନ୍ତି ରାଜ୍ୟ ସରକାର । ବିଶେଷକରି ଜଳାଶୟକୁ ଜବରଦଖଲ ମୁକ୍ତ କରିବାକୁ ସବୁ ରାଜ୍ୟ ସ୍ବତନ୍ତ୍ର ଆଇନ ଆଣିଥିବାବେଳେ ଓଡିଶା ସମେତ ତ୍ରିପୁରା ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ଦାୟିତ୍ବରେ ଥିଲେ । ହେଲେ ଜଳସମ୍ପଦ କ୍ଷେତ୍ରରେ ଏବେ ରାଜ୍ୟ ପଛୁଆ । ନୀତି ଆୟୋଗ ରିପୋର୍ଟ ଆସିବାର ବର୍ଷକ ପରେ ସମୀକ୍ଷା ବୈଠକ ଡାକୁଛନ୍ତି । 5-ଟିର ଟୋପି ଧରି ବୁଲୁଥିବା ମୁଖ୍ୟମନ୍ତ୍ରୀ ଏଦିଗରେ କେତେ ସଚେତନ ଓ ଦାୟିତ୍ବବାନ ଏଥିରୁ ସ୍ପଷ୍ଟ ଜଣାପଡୁଛି । ତେବେ 5-ଟି ସଚିବ ଦାୟୀ ଅଧିକାରୀଙ୍କ ବିରୋଧରେ ଦାୟିତ୍ବବୋଧ ଫିକ୍ସ କରିବେ କି ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ