ଭୁବନେଶ୍ବର: କୋରୋନା କଟକଣାରେ ଯେମିତି କଡଲେଉଟାଇଛି ଜୀବନ ଓ ଜୀବିକା । ତେବେ ମହାମାରୀ ସମୟରେ ନିଜ ଦୁଃଖକୁ ଆଡେଇ ସମାଜ ପାଇଁ କିଛି କରିବାର ପ୍ରୟାସ ଅନେକଙ୍କୁ କରିଛି ଅନନ୍ୟ । ସେମିତି ଜଣେ କୋରୋନା ଯୋଦ୍ଧା ହେଉଛନ୍ତି ପର୍ବତାରୋହୀ ନୀଳାଚଳ ପରିଡା । ଆଇପିଏଲ ଟିମ ରୟାଲ ଚ୍ୟାଲେଞ୍ଜର୍ସ ଖେଳାଳି ତଥା ଦକ୍ଷୀଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସଙ୍କ ଜର୍ସିରେ ନିଳାଚଳଙ୍କ ନାମ ସ୍ଥାନ ପାଇବା ପରେ, ସ୍ୱପ୍ନ ସାକାର ହୋଇଥିବା କହିଛନ୍ତି ନୀଳାଚଳ ।
ମହାମାରୀ ବେଳେ ମରିଯାଉଥିବା ମାନବିକତା ଓ କୋଠରୀରେ ଆବଦ୍ଧ ହୋଇଥିବା କର୍ତ୍ତବ୍ୟ ପାଇଁ ସଞ୍ଜୀବନି ସାଜିଥିଲେ ନୀଳାଚଳ । ଲକଡାଉନର କଡା କଟକଣା ଚାଦର ଘୋଡେଇ ପୁରା ଦେଶ ଶୋଇଥିବାବଳେ, ସେ ରୋଗ ଶୟ୍ୟାରେ ଥିବା ଅସହାୟ ଓ ବୟସ୍କଙ୍କ ପାଇଁ ସାଜିଥିଲେ ଦେବଦୂତ । ମାଗଣାରେ ପରିବା ବିକ୍ରି କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହେବା ସହ କୋରୋନା ଯୋଦ୍ଧାର ପରିଚୟ ପାଇଥିଲେ ।
ବାଙ୍ଗାଲୋର ଟିମର ସମସ୍ତ ଖେଳାଳି କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଦେଶର କୋରୋନା ଯୋଦ୍ଧାଙ୍କ ନାମ ଥିବା ଜର୍ସି ପରିଧାନ କରିଥିଲେ । ଏହି କ୍ରମରେ ଆରସିବି ଅଲରାଉଣ୍ଡର ମୋରିସଙ୍କ ଜର୍ସିରେ ଓଡିଆ ପୁଅ ନୀଳାଚଳ ପରିଡାଙ୍କ ନାମ ଦେଖିବାକୁ ମିଳିଥିଲା । ଏନେଇ ନିଜେ ମୋରିସ ମଧ୍ୟ ଟ୍ବିଟ ଯୋଗେଁ ସୂଚନା ଦେଇଥିଲେ । କ୍ରିସ ମୋରିସଙ୍କ ଟ୍ବିଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୀଳାଚଳଙ୍କ ନିସ୍ବାର୍ଥପର କାମକୁ ପ୍ରଶଂସା କରିଥିଲେ ।
ପେସାରେ ନୀଳାଚଳ ହେଉଛନ୍ତି ଜଣେ ପର୍ବତାରୋହୀ । ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ଏକ ଛୋଟିଆ ଘର ତାଙ୍କ ଠିକଣା । ଏପ୍ରିଲରେ ଋଷର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଲବ୍ରସର ଶିଖର ଛୁଇଁବାକୁ କାର୍ଯ୍ୟକ୍ରମ ଥିଲା । ମାତ୍ର ଦେଶରେ ଲକଡାଉନ ପରିସ୍ଥିତି ଯୋଗୁଁ ଏହା ସମ୍ଭବ ହୋପାରିନଥିଲା । ପରେ ଦେଶର ଏହି ଅସମୟରେ କିଛି କରିବାର ଇଚ୍ଛା ତାଙ୍କୁ ପରିବା ବ୍ୟବସାୟୀ କରିବାକୁ ବାଧ୍ୟ କରିଥିଲା । ତେବେ ଅନ୍ୟ ବ୍ୟବସାୟୀଙ୍କ ଭଳି ଲାଭ ପ୍ରଭି ଲୋଭ ନ ରଖି ନୀଳାଚଳ ଯଥାସମ୍ଭବ କମ ଦରରେ ପରିବା ବିକ୍ରି କରିଥିଲେ । ଏଥିସହିତ ଅସୁସ୍ଥ, ଅସହାୟ ଓ ବୟସ୍କ ଲୋକଙ୍କ ଘରେ ମଧ୍ୟ ମାଗଣାରେ ପରିବା ପହଞ୍ଚାଇଥିଲେ । କେବଳ ପରିବା ନୁହେଁ ଅନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ପହଞ୍ଚାଇଥିଲେ ।
ଏକ ମାସ ପୂର୍ବରୁ ଆରସିବିର ଅଧିକାରୀ ଫୋନ ମାଧ୍ୟମରେ ନୀଳାଚଳଙ୍କ କାମ ବିଷୟରେ ପଚାରିଥିଲେ। ପରେ ନୀଳାଚଳଙ୍କୁ ଓଡିଶାରୁ ଚୟନ କରିଥିଲେ। ଭାରତରେ 11 ଜଣଙ୍କ ମଧ୍ୟରେ ଓଡିଶାରୁ ଏକମାତ୍ର ସେ ଚୟନ ହୋଇଥିଲେ ବୋଲି କହିଛନ୍ତି ନୀଳାଚଳ ।
ନୀଳାଚଳ କୁହନ୍ତି ଯେ କେବେ ସ୍ୱପ୍ନରେ ଭାବିନଥିବା କାମ ଆଖି ସାମ୍ନାରେ ହେଇଗଲା । ଆରସିବିର ସମସ୍ତ ଅଧିକାରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସହ ସମସ୍ତ ଖେଳାଳିଙ୍କ ଜର୍ସି ଓ ଅନ୍ୟାନ୍ୟ ଆସବାପତ୍ରରେ ତାଙ୍କର ନାଁ ରହିଥିବାକୁ ନେଇ ଜୀବନର ସବୁଠାରୁ ବଡ ସଫଳତା ବୋଲି କହିଛନ୍ତି ନୀଳାଚଳ।
ସେଦିନ ସମାଜସେବା ସର୍ବୋପରି ଭାବି ଲାଭ ଟଙ୍କାର ହିସାବ ରଖିନଥିବା ନୀଳଚଳଙ୍କୁ ମିଳିଛି ୟୁଏଇରୁ ଅଜସ୍ର ପ୍ରଶଂସା । ମହାମାରୀ ସମୟ ମଣିଷ ପଣିଆ ପାଇଁ ଆହ୍ବାନ ହୋଇଥିବାବେଳେ ନୀଳାଚଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ ।
ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ