ଭୁବନେଶ୍ବର: ଦେଶରେ ରେକର୍ଡ କଲା ଜିଏସଟି ସଂଗ୍ରହ । ଜିଏସଟି ପ୍ରଚଳନ ହେବାଠାରୁ ଚଳିତ ଆର୍ଥିକବର୍ଷ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସଟି ରାଜସ୍ବ ଆଦାୟ ହୋଇଛି । ଏପ୍ରିଲ ମାସରେ ଦେଶରେ 1.41 କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ଆଉ ଏହି ରେକର୍ଡକୁ ବଜୟ ରଖି ମାଇଲଖୁଣ୍ଟ ସୃଷ୍ଟି କରିଛି ଓଡିଶା ।
ଦେଶ ସହ ତାଳ ଦେଇ ରାଜ୍ୟରେ ବି ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ହୋଇଛି । ଏପ୍ରିଲ ମାସରେ ରାଜ୍ୟରେ ୧୧୨୬.୬୭ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି । ଯାହାକି ଏକ ସର୍ବକାଳୀନ ରେକର୍ଡ ସ୍ତର । ୨୦୧୯ ମସିହାର ଏହି ଅବଧିରେ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ୯୨୭.୬୦ କୋଟି ଟଙ୍କା ଥିବାବେଳେ ୨୦୨୦ ଏପ୍ରିଲ ମାସରେ ସଂଗ୍ରହ ହୋଇଥିଲା ମାତ୍ର ୩୬୦.୩୬ କୋଟି ଟଙ୍କା । ହେଲେ ୨୦୨୧ ମସିହା ମାର୍ଚ୍ଚରେ ସର୍ବାଧକ ରାଜ୍ୟ ଜିଏସ୍ଟି ୯୫୪.୬୨ କୋଟି ଟଙ୍କା ସଂଗୃହୀତ ହୋଇଥିଲା । ଟିକସ ପୈଠରେ ଉନ୍ନତି, ଲୌହ ଇସ୍ପାତ କ୍ଷେତ୍ରରୁ ଅଧିକ କର ସଂଗ୍ରହ ଯୋଗୁଁ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ହୋଇଥିବା କହିଛନ୍ତି ବିଶେଷଜ୍ଞ ।
କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ସମନ୍ବିତ ଜିଏସଟି (ଆଇଜିଏସଟି) ଓ ଅତିରିକ୍ତ ଟିକସ ବାବଦରେ ମଧ୍ୟ ଯଥାକ୍ରମେ ୯୫୨.୪୩ କୋଟି , ୧୧୫୭.୦୫ କୋଟି ଓ ୬୧୩.୩୩ କୋଟି ଟଙ୍କା ସଂଗ୍ରହ ହୋଇଛି । ସର୍ବମୋଟ ୩୮୪୯.୪୮ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ଯାହା କି ଏଯାବତର ସର୍ବୋଚ୍ଚ ରେକର୍ଡ । ୨୦୧୯ ମସିହା ଏପ୍ରିଲରେ ଏହି ପରିମାଣ ୨୯୫୫.୬୦ କୋଟି ଟଙ୍କା ଥିଲା । କୋଭିଡ ପ୍ରଭାବିତ ୨୦୨୦ ମସିହା ଅପ୍ରେଲରେ ଏହା ଥିଲା ୭୭୪.୨୯ କୋଟି ଟଙ୍କାକୁ ଖସି ଆସିଥିଲା । ଭାଟ୍ ପୈଠ କରୁଥିବା ସମସ୍ତ ବ୍ୟବସାୟୀ ୨୦୨୧ ମସିହା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଟିକସ ପଇଠ କରି ସାରିଥିଲେ । ବାକି ୫ ଦିନର ଟିକସ ୨୦୨୧ ମସିହା ଏପ୍ରିଲ ମାସରେ ୨୧୮.୯୫ କୋଟି ଟଙ୍କା ସଂଗୃହିତ ହୋଇଛି । ୨୦୨୦ ମସିହା ଏପ୍ରିଲରେ ଏହି ପରିମାଣ ୧୩୦.୧୧ କୋଟି ଟଙ୍କା ଥିବାବେଳେ ୨୦୧୯ ଏହି ମାସରେ ୧୮୩.୯୨ କୋଟି ଟଙ୍କା ଥିଲା । ଫଳରେ ଏ କ୍ଷେତ୍ରରେ ୬୮.୨୮ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ପେଟ୍ରୋଲିୟମ୍ କ୍ଷେତ୍ରରୁ ହୋଇଥିବା ସଂଗ୍ରହରେ ୧୭୫.୩୧ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚଳିତ ବର୍ଷ ଏପ୍ରିଲରେ ୧୬୬.୮୭ କୋଟି ଟଙ୍କା ଟିକସ ଆଦାୟ ହୋଇଛି । ୨୦୨୦ ଏପ୍ରିଲରେ ମାସରେ ଏହି ଆଦାୟ ପରିମାଣ ଥିଲା ୬୦୬୧ କୋଟି ଟଙ୍କା । ନିୟମିତ ସର୍ଭେ ଓ ପଞ୍ଜୀକରଣ ମାଧ୍ୟମରେ ଟିକସ ପରିସର ବୃଦ୍ଧି ଦିଗରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍ଟି ସଂସ୍ଥା ଅଧିକ ଗୁରୁତ୍ଵ ଦେଇଆସିଛି । ୨୦୨୦ - ୨୧ ଆର୍ଥିକ ବର୍ଷରେ ୫୨, ୨୧୦ ଜଣ ଟିକସଦାତାଙ୍କୁ ଜିଏସ୍ଟି ପରିସରଭୁକ୍ତ କରାଯାଇଥିଲା ।
ଚଳିତ ଆର୍ଥିକ ବର୍ଷରେ ଟିକସ ଖିଲାପକାରୀଙ୍କ ବିରୁଦ୍ଧରେ ୧,୨୯,୬୧୧ଟି ଜିଏସ୍ଟିଆର - ୩ଏ ନୋଟିସ୍ ଜାରି କରାଯାଇଥିବାବେଳେ ଜିଏସ୍ଟି ଆଇନର ଧାରା ୬୨ ଅଧୀନରେ ୧୯,୨୬୮ଟି ଆସେସମେଣ୍ଟ କରାଯାଇଛି । ସମୂହ ଟୀକା କରଣ ଆରମ୍ଭ ହୋଇଥିବାରୁ ଅଗାମୀ ଦିନରେ ଜିଏସଟି ସଂଗ୍ରହ ପରିମାଣ ଆହୁରି ବଢିବ ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ