ଭୁବନେଶ୍ବର: କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରିଛି ନବ ନିର୍ମାଣ କୃଷକ ସଂଗଠନ । ନିର୍ବାଚନ ପୂର୍ବରୁ ରାଜ୍ୟର ଚାଷୀଙ୍କୁ ନିଜ ଆଡକୁ ଆକୃଷ୍ଟ କରି ଭୋଟ ହାତେଇବା ପାଇଁ ସରକାର କାଳିଆ ଯୋଜନା କରିଥିଲେ। ଯେଉଁଥିରେ ଚାଷୀକୁ ବର୍ଷକୁ 10 ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ସେହି ଯୋଜନାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମିଶାଇ ଚାଷୀଙ୍କୁ ସମୁଦାୟ 10 ହଜାର ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। ଯେଉଁଥିରେ କେନ୍ଦ୍ରର 6ହଜାର ଓ ରାଜ୍ୟର 4ହଜାର ଟଙ୍କା ରହିବ। ଯାହା ଦ୍ବାରା ରାଜ୍ୟ ସରକାର ଲୋକମାନଙ୍କୁ ଠକୁଥିବାର ଅଭିଯୋଗ କରିଛି ସଂଗଠନ।
ଗୁରୁବାର ଏନେଇ ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି କି ସଂଗଠନ ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆନ୍ଦୋଳନ ଚଳାଇଛି । ଏହି ସମୟରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ କାଳିଆ ଯୋଜନା ଘୋଷଣା କରିଥିଲେ ସରକାର। କିନ୍ତୁ ବର୍ତ୍ତମାନ ତାହାକୁ ଦେବାରେ ଅସମର୍ଥ ହୋଇ ଲୋକଙ୍କୁ ଏକ ପ୍ରକାର ବଡ ଧରଣର ଠକିଛନ୍ତି ରାଜ୍ୟ ସରକାର।
ସ୍ପେଶାଲ ଅର୍ଡିନାନ୍ସ କରି ଏମରଜେନ୍ସି ଫଣ୍ଡରୁ 422 କୋଟି ଟଙ୍କା ଆଣି ଚାଷୀଙ୍କୁ ଦେବାକୁ କହିଥିଲେ। ବର୍ତ୍ତମାନ ସେଥିରୁ ଦୂରେଇ ଯାଇ କେନ୍ଦ୍ର ଦେଉଥିବା 6 ହଜାରରେ ରାଜ୍ୟ ସରକାର 4 ହଜାର ମିଶାଇ ଦେବାକୁ କହୁଛନ୍ତି। ଯାହାକି ଆଇପିସି ଧାରା 415 ଓ 420 ଅନୁଯାୟୀ ଦଣ୍ଡନୀୟ ଏବଂ ଏଥିପାଇଁ ବ୍ୟକ୍ତିଙ୍କୁ ସର୍ବନିମ୍ନ 3 ବର୍ଷ ଜେଲ ଭୋଗିବାକୁ ଆଇନ ଅଛି। ଏହି ନିୟମ ଅନୁଯାୟୀ ସରକାର 70 ଭାଗ ଚାଷୀଙ୍କୁ ଠକି ଥିବା ଅଭିଯୋଗରେ ଆସନ୍ତା 16 ତାରିଖରେ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାର ଏସପି ଅଫିସରେ ସଂଗଠନ ପକ୍ଷରୁ ଗଣ ଏତଲା ଦିଆଯିବ।
ଏଥିସହ କୋର୍ଟରେ ମଧ୍ୟ ମାମଲା ରୁଜୁ କରାଯାଇ ସରକାରଙ୍କୁ ଜେଲ ପଠାଇବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ନେଇ ସଂଗଠନ ପ୍ରକାଶ କରିଛି । ଯାହାଦ୍ବାରା ସରକାର ନିଜେ ଦେଇଥିବା କଥା ରଖିବା ସହିତ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବ ବୋଲି ସଂଗଠନର ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ