ଭୁବନେଶ୍ବର: କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦାବି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି ଖୋଦ୍ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଚିଠରେ ନବୀନ ଦର୍ଶାଯାଇଛି ଯେ, ନୌବାଣିଜ୍ୟ ସହ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି ବାଲିଯାତ୍ରା । ଓଡ଼ିଆ ସାଧବ ପୁଅଙ୍କ ଗୌରବର ଗାଥା କହିଥାଏ ଏହି ଉତ୍ସବ। ଅତୀତରେ ଓଡ଼ିଆ ସାଧବପୁଅ ବାଲି, ଜାଭା, ସୁମାତ୍ରା, ବର୍ଣ୍ଣିଓ ପ୍ରଭୃତି ଦୀପକୁ ଯାଇ ନୌବାଣିଜ୍ୟ କରିବା ସହିତ ରାଜ୍ୟର ସାଂସ୍କୃତିକ ସଂପର୍କକୁ ମଜଭୁତ କରୁଥିଲେ। ଯାହାର ମୂକ ସାଖୀ ଓ ନିଦର୍ଶନ ହେଉଛି ଏହି ବାଲିଯାତ୍ରା ।
ଏହି ପରମ୍ପରାକୁ ସ୍ମରଣ କରି ବାଲିଯାତ୍ରା ବହୁ ବର୍ଷ ହେଲା ପାଳିତ ହୋଇଆସୁଛି। ନଭେମ୍ବର ମାସ କାର୍ତ୍ତିକ ପୂର୍ଣ୍ଣିମାରେ ଏହା ଆରମ୍ଭ ହୋଇ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। କହିବାକୁ ଗଲେ ଏସିଆର ସର୍ବ ବୃହତ୍ତମ ବାଣିଜ୍ୟ ମେଳା କଟକରେ ପାଳିତ ହୋଇଆସୁଛି।
କଟକ ବାଲିଯାତ୍ରା ରାଜ୍ୟର ସିଗନେଚର ଫେଷ୍ଟିଭାଲ୍ ଭାବେ ବେଶ୍ ଜଣାଶୁଣା। ତେଣୁ ବାଲିଯାତ୍ରାର ସାମାଜିକ ଓ ସାଂସ୍କୃତିକ ଗୁରୁତ୍ବକୁ ଉପଲବ୍ଧି କରି ଏହାକୁ ନ୍ୟାସନାଲ୍ ମେରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ ମାନ୍ୟତା ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ