ଭୁବନେଶ୍ବର: ଶିଶୁର ଅଧିକାର ପାଇଁ ବିଶ୍ବର 120ଟି ଦେଶରେ କାର୍ଯ୍ୟ କରୁଥିବା ‘ସେଭ ଦି ଚିଲଡ୍ରେନ’ ସାରା ପୃଥିବୀରେ ଏହାର ଶତ ବାର୍ଷିକୀ ପାଳନ କରୁଛି । ଏହି ଅବସରରେ ଦିଲ୍ଲୀର ହାବିଟାଟ ସେଣ୍ଟରଠାରେ ଆୟୋଜିତ ହୋଇଯାଇଛି "The Right Start National Summit" ।
ଏହି ଅବସରରେ 10ଟି ରାଜ୍ୟର ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷଙ୍କୁ ଶିଶୁ ଅଧିକାର ସୁରକ୍ଷା ପାଇଁ ଭାରତ ଚାମ୍ପିୟନ ସମ୍ମାନ ପ୍ରଦାନ କରାଯାଇଛି । ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶାର ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ ସମ୍ମାନିତ କରାଯାଇଛି ।
ସନ୍ଧ୍ୟାବତୀ ପ୍ରଧାନ ରାଜ୍ୟରେ ଶିଶୁମାନଙ୍କର ସାମୂହିକ ଅଧିକାରର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟକରି ଆସୁଛନ୍ତି । ତାଙ୍କ ନେତୃତ୍ବରେ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ଯଥେଷ୍ଟ ବିକାଶ ସାଧନ ହୋଇଛି । ନିକଟରେ ଘଟିଥିବା ମହାବାତ୍ୟା ‘ଫନି’ ସମୟରେ ଛୋଟ ପିଲାଙ୍କର ସୁରକ୍ଷା ପାଇଁ ତାଙ୍କର ଆପତକାଳୀନ ସହଯୋଗ ଦେଇଥିବାରୁ ତଥା ଶିଶୁ ଅଧିକାରର ସୁରକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଭାରତ ଚାମ୍ପିୟନ ସମ୍ମାନ ପ୍ରଦାନ କରାଯାଇଛି ।
ଏହି ସମ୍ମାନ ପ୍ରଦାନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ‘ସେଭ ଦି ଚିଲଡ୍ରେନ’ର ଭାରତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦିଶା ପିଲାଇ, ‘ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ’ର ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ, ‘ୟୁନିସେଫ୍’ର ଭାରତୀୟ ପ୍ରତିନିଧି ଡ. ଜାସ୍ମିନ ଉଲ ହକ୍ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ