ଭୁବନେଶ୍ବର: ଆଜି ବି ଆରମ୍ଭରୁ ଗୃହ ଅଚଳ । ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ମୁହାଁମୁହିଁ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ (House Adjourned) । ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହୋହାଲ୍ଲାରେ କମ୍ପିଥିଲା ଗୃହ । ଫଳରେ ବାଚସ୍ପତି ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।
ଲଗାତାର ୫ଦିନ ହେବ ଗୃହ ଅଚଳ ହୋଇଛି । ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟ ଗୃହ ମଧ୍ୟଭାଗରେ ଆସି ନାରାବାଜି ଦେଇଥିଲେ । ବାଚସ୍ପତିଙ୍କ ପୋଡିୟମକୁ ଯାଇ ବିରୋଧ କରିଥିଲା କଂଗ୍ରେସ ।
ସେପଟେ କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟ ହୋହାଲ୍ଲା କରିଥିଲେ । ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲା ଶାସକ ଦଳ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି କରି ଧାରଣାକୁ ଓହ୍ଲାଇଛି ବିଜେଡି । ପାଇକଙ୍କୁ କଳାକାରର ମାନ୍ୟତା ନ ମିଳିବାରୁ ବିଜେଡି ବିରୋଧ କରିଛି । ବିଧାନସଭା ପରିସରରେ ଗାନ୍ଧୀମୂର୍ତ୍ତି ତଳେ ବିକ୍ଷୋଭ କରିଛନ୍ତି ବିଜେଡି ସଦସ୍ୟ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛି ବିଜେପି । ମୁଖ୍ୟମନ୍ତ୍ରୀ ଗୃହ ସଦସ୍ୟ ହୋଇ ମଧ୍ୟ ଗୃହକୁ କାହିଁକି ଆସୁନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଅଞ୍ଜନା ମିଶ୍ରଙ୍କ ସମୟରେ ମୁଖ୍ୟମନ୍ତ୍ରୀ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ ମମିତା ହତ୍ୟାକାଣ୍ଡ ଘଟଣାରେ କାହିଁକି ଆଭିମୁଖ୍ୟ ଗ୍ରହଣ କରୁନାହାନ୍ତି ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଦୋ ମୁହାଁ ନୀତି ବୋଲି କହି ପିଏମଜି ଅଭିମୁଖେ ନାରାବାଜି ଦେଇ ବାହାରିଛି ବିଜେପି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ