ଭୁବନେଶ୍ବର: କୃଷି ଓ କୃଷକ ଶସକ୍ତିକରଣ ବିଭାଗର ୬ ହଜାର ୬୪୬ କୋଟି ୧୧ ଲକ୍ଷ ୬୯ ହଜାର ଟଙ୍କାର ଖର୍ଚ୍ଚ ଦାବିକୁ ଆଜି ଗୃହର ଅନୁମୋଦନ ମିଳିଛି । ଖର୍ଚ୍ଚଦାବି ଅନୁମୋଦନ ଲାଗି ଗୃହରେ କୃଷି ମନ୍ତ୍ରୀ ଉପସ୍ଥାପନ କରିଥିଲେ । ଏନେଇ ଗୃହରେ ବିଷଦ ଭାବେ ଆଲୋଚନା ହୋଇଛି ।
କୃଷି ମନ୍ତ୍ରୀ ବିଧାୟକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ତାଙ୍କ ବଜେଟରେ ଯେତେ ବ୍ୟୟ ବରାଦ କରୁଛନ୍ତି ରାଜ୍ୟ ବଜେଟରେ କୃଷି କ୍ଷେତ୍ରକୁ ଅଧିକ ବ୍ୟୟ ବରାଦ କରାଯାଉଛି । ଗତ ତିନି ବର୍ଷ ହେବ କୃଷି କ୍ଷେତ୍ରରେ କେନ୍ଦ୍ରରୁ ରାଜ୍ୟକୁ ଯେଉଁ ଅନୁଦାନ ମିଳିବା କଥା ତାହା ମିଳିନାହିଁ । ରାଜ୍ୟର କୃଷି ଅଭିବୃଦ୍ଧି ହାର 8.5 ଥିବା ଜାତୀୟ ସ୍ତରରେ ଏହା ମାତ୍ର 4 ପ୍ରତିଶତ ରହିଛି । କୃଷିମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ମୋଟ ଆୟର 20.61 ପ୍ରତିଶତ ଏହି କୃଷିକ୍ଷେତ୍ରରୁ ଆସିଥାଏ । 2020/21 ଆର୍ଥିକ ବର୍ଷରେ ରାଜ୍ୟରେ ସର୍ବକାଳୀନ ରେକର୍ଡ 130.39 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇଛି । ବିଗତ ବର୍ଷ ମାନଙ୍କରେ ରାଜ୍ୟ ସରକାର ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିଥିବା ହେତୁ ପାଞ୍ଚ ଥର କୃଷିକର୍ମଣ ପୁରସ୍କାର ହାସଲ କରିଛି । ବିଗତ ବର୍ଷ ମାନଙ୍କରେ ଅମ୍ପନ, ଜୱାଦ, ୟଶ ଓ ଗୁଲାବ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ପହଞ୍ଚିଥିବା କ୍ଷତିର ରାଜ୍ୟ ସଫଳ ମୁକାବିଲା କରିପାରିଛି । ଓଡ଼ିଶା କ୍ଷୁଦ୍ରଶସ୍ୟ ମିଶନ ରାଜ୍ୟରେ କ୍ଷୁଦ୍ରଶସ୍ୟ ପ୍ରୋତ୍ସାହନ ମାଧ୍ୟମରେ ପୁଷ୍ଟି ନିରାପତ୍ତା ଯୋଗାଇବା ପାଇଁ 2016/17 ବର୍ଷରୁ କ୍ଷୁଦ୍ରଶସ୍ୟ ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ।
ବର୍ତ୍ତମାନ ଏହା 19 ଟି ଜିଲ୍ଲାର 142 ଟି ବ୍ଲକରେ ଅନୁନ୍ୟ 81600 ହେକ୍ଟର ପରିମିତ ଜମିରେ କାର୍ଯ୍ୟକାରୀ ହେଉଛି । ଗତ ବର୍ଷ ଅନୁନ 3.23 ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ଚଳିତ ବର୍ଷ 6 ଲକ୍ଷ କ୍ଲିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓ ମାଣ୍ଡିଆ ଲଡ଼କୁ ସମନ୍ବିତ ଶିଶୁ ଉନ୍ନୟନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରାୟ 50 ଲକ୍ଷ ପରିବାରଙ୍କୁ 2 କିଲୋ ହିସାବରେ ମାଣ୍ଡିଆ ଯୋଗାଇ ଦିଆଯାଇଛି ।
ସେହିପରି ସମନ୍ବିତ ଶିଶୁ ଉନ୍ନୟନ ଯୋଜନାରେ 1 ଲକ୍ଷ 48 ହାଜର ଶିଶୁଙ୍କୁ ମଣ୍ଡିଆ ଲଡୁ ଯୋଗାଇ ଦିଆଯାଇଛି । କାଳିଆ କୃଷିର ତ୍ଵରିତ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ନେଇ 2018 ବର୍ଷରୁ ରାଜ୍ୟରେ କାଳିଆ ନାମରେ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଅଛି । କାଳିଆ ବୋଧହୁଏ ଦେଶର ସର୍ବପ୍ରଥମ ସାମଗ୍ରିକ ମୌଳିକ ଆୟ ଯୋଜନା । କୌଣସି ଯୋଗ୍ୟ ଚାଷୀଙ୍କୁ ଏହି ସୁବିଧାରୁ ବଞ୍ଚିତ କରାଯିବ ନାହିଁ ବୋଲି ସ୍ଥିର ହୋଇଛି । 2020/21 ବର୍ଷ ମୋଟ 53 ଲକ୍ଷ 56 ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରଙ୍କୁ କାଳିଆ ସହାୟତା ଯୋଗାଇ ଦିଆଯାଇଥିବା ସ୍ଥଳେ 2021/22 ଡିସେମ୍ବର ମାସ ଶେଷ ସୁଦ୍ଧା 38 ଲକ୍ଷ 78 ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 17 ଲକ୍ଷ୍ୟ 89 ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି । 2022/23 ବର୍ଷରେ ଅଦ୍ୟାବଧି 40 ଲକ୍ଷ 22 ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଛି । ନାବାର୍ଡ ସହ ମିଳିତ ଭାବରେ ସରକାରଙ୍କ ଦ୍ୱାରା ବଳରାମ ଆରମ୍ଭ ହୋଇଛି । 5 ଲକ୍ଷ ଭାଗଚାଷୀଙ୍କୁ ନେଇ ଗଠିତ 1 ଲକ୍ଷ ମିଳିତ ଦାୟୀ ଗୋଷ୍ଠୀ ଏହି ଯୋଜନାରେ ଉପକୃତ ହେବେ ।
କୃଷି ପ୍ରଯୁକ୍ତିକରଣ ରାଜ୍ୟ କୃଷିର ବିକାଶ ପ୍ରକ୍ରିୟାରେ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତି ଉପକରଣ ଗୁଡ଼ିକର ବ୍ୟବହାର କରାଯାଉଛି । ଏହାଦ୍ବାରା ସଠିକ ସମୟରେ ସେବା ପ୍ରଦାନ, କାର୍ଯ୍ୟୟନ ପ୍ରକ୍ରିୟାରେ ସହଜତା ଏବଂ ସ୍ବଚ୍ଛତା ଅଣାଯାଇ ପାରିଛି ।ଆଲୋଚନା ବେଳେ ବିରୋଧୀ କହିଛନ୍ତି ଯେ, ରାଜ୍ୟ ସରକାର ସବୁଥିରେ ବିଫଳ ହୋଇଛନ୍ତି । ଫସଲ ବୀମା ଯୋଜନାରେ ଚାଷୀ ମାନେ ଉପକୃତ ହେଉ ନାହାନ୍ତି । ବାହାର ରାଜ୍ୟରୁ ଆଳୁ, ପିଆଜ, ଫୁଲ, ମାଛ, ଅଣ୍ଡା ସବୁ ଆଣିବାକୁ ପଡୁଛି । ଶୀତଳ ଭଣ୍ଡାରର ଘୋର ଅଭାବ ରହିଛି । ସରକାର ଯୋଜନା ପରେ ଯୋଜନା ଏବଂ କୃଷି କର୍ମଣର ବାହାବା ନେଉଛନ୍ତି । ମାତ୍ର ଚାଷୀ କିଛି ସୁଫଳ ପାଉ ନାହାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର