ଭୁବନେଶ୍ବର: ଆଜି ବିଧାସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି । ୨୩ ତାରିଖରେ ଏ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି ବୋଲି ବାଚସ୍ପତି କହିଥିଲେ । ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କୁ ପ୍ରଶ୍ନ କରିବା ଓ ବାଚସ୍ପତି ଏହାର ଉତ୍ତର ଦେବା, ଗୃହରେ ଏକ ନାଟକୀୟ ପରିସ୍ଥିତି ସୃଷ୍ଟି କରିଥିଲା ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ସମ୍ପର୍କରେ ବାଚସ୍ପତିଙ୍କୁ କେବେ ଅବଗତ କରାଗଲା ? ୨୨ ତାରିଖରେ ଗିରଫଦାରୀ ଦିନ ଖୋର୍ଦ୍ଧା ଏସପି ଏହା ଜଣାଇଲେ, ନା ୨୩ ରେ ବୋଲି ପ୍ରଶ୍ନ ରଖିଥିଲେ ନରସିଂହ ମିଶ୍ର । ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ, ୨୩ ତାରିଖରେ ଏନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଉତ୍ତରରେ ସନ୍ତୁଷ୍ଟ ନହୋଇ ନରସିଂହ ପୁଣି ପ୍ରଶ୍ନ କରିଥିଲେ, ଆଜି ସକାଳେ ଏ ସମ୍ପର୍କରେ ସେ ବ୍ୟକ୍ତିଗତ ଭାବେ ଅନୁସନ୍ଧାନ କରିଥିଲେ । ହେଲେ ଏଭଳି କିଛି ପତ୍ର ମିଳିନି ବୋଲି ବିଧାନସଭା କାର୍ଯ୍ୟାଳୟରୁ ସୂଚନା ମିଳିଥିଲା । ତେଣୁ ଚିଠି କେବେ ହସ୍ତଗତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ରଖିବାକୁ ନରସିଂହ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।
ଉତ୍ତରରେ ବାଚସ୍ପତି କହିଥିଲେ, ଖୋର୍ଦ୍ଧା ଏସପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ନେଇ ୨୩ରେ ବିଧାନସଭାକୁ ଚିଠି ଲେଖିଛନ୍ତି । ଯାହା ୨୫ ତାରିଖ ଅର୍ଥାତ୍ ଆଜି ହସ୍ତଗତ ହୋଇଛି । ତେବେ ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ ଅନଲାଇନ୍ ଡେସପାଚରେ ଏହା ୧୦ ମିନିଟରେ ପହଞ୍ଚିଥାନ୍ତା । ଏହି ଚିଠି କେବେ ଲେଖାଯାଇଛି, ସେନେଇ ପ୍ରଶ୍ନ ଉଠାଇଥିଲେ ନରସିଂହ । ଚିଠିରେ ପୂର୍ବ ତାରିଖ ଦେଇ ମଧ୍ୟ ଲେଖା ଯାଇପାରେ ବୋଲି କଟାକ୍ଷ କରିଥିଲେ ନରସିଂହ ।
ଏନେଇ ବାଚସ୍ପତିଙ୍କୁ ଅନୁସନ୍ଧାନ କରିବାକୁ ଅନୁରୋଧ କରିବା ସହ, ଯଦି ଏପରି ହୋଇଥାଏ ତେବେ ଖୋର୍ଦ୍ଧା ଏସପି ସ୍ୱାଧିକାର ଭଙ୍ଗ କରିଛନ୍ତି ବୋଲି ନରସିଂହ ଗୃହରେ କହିଛନ୍ତି । ଏହାସହ ଗୃହକୁ ବିଧାୟକ ପ୍ରଶାନ୍ତ ଜଗଦେବ ନିଲମ୍ୱନ ନେଇ ବିଜୁ ଜନତା ଦଳ ପକ୍ଷରୁ ଜଣାଯାଇଛି କି ନାହିଁ ବୋଲି ମଧ୍ୟ ସୂଚନା ରଖିବାକୁ ନରସିଂହ ଅନୁରୋଧ କରିଥିଲେ । ତେବେ ଉତ୍ତରରେ ଏଭଳି କିଛି ଚିଠି, ନା ତାଙ୍କୁ ମିଳିଛି, ନା କୌଣସି ରାଜନୈତିକ ଦଳ ତାଙ୍କୁ ଅବଗତ କରାଇଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ