ଭୁବନେଶ୍ବର: ଆଜି ବିଧାନସଭା ଶୂନ୍ଯକାଳରେ ପକ୍କାଘର ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାରା କହିଛନ୍ତି, ରାଜ୍ୟର ୧୨ ଲକ୍ଷ ଯୋଗ୍ୟ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନ ଖରା ବର୍ଷାରେ ଜୀବନ କାଳାତିପାତ କରୁଛନ୍ତି । ରାଜ୍ୟ ସରକାର ଏମାନଙ୍କୁ ପକ୍କା ଘର କାହିଁକି ଯୋଗାଇ ଦେଉନାହାନ୍ତି? କେଉଁଠି ରହୁଛି ଅସୁବିଧା ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।
ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଯଦି କେନ୍ଦ୍ର ସରକାର ଆବଶ୍ୟକ ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେଉ ନାହାନ୍ତି, ତେବେ ଦଳମତ ନିର୍ବିଶେଷରେ ସମସ୍ତେ ଚାଲନ୍ତୁ ପ୍ରଧାନମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବା । ଆଉ ଯଦି କେନ୍ଦ୍ର ସରକାର ଘର ଦେଉ ନାହାନ୍ତି ତେବେ ରାଜ୍ୟ ସରକାର ମୋ କୁଡ଼ିଆ ଯୋଜନାରେ ଏହି ୧୨ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଅନ୍ତୁ" ।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରାଜ୍ୟରେ ପକ୍କାଘର ଯୋଗାଇ ଦେବାରେ ପାତରଅନ୍ତର କରାଯାଉଛି । ଯେଉଁଥିପାଇଁ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଫନିରେ ବାସଗୃହ ହରାଇ ଥିବା ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଘର ଯୋଗାଇ ଦେଲେ ନାହିଁ । ସରକାର ତୁରନ୍ତୁ ସେମାନଙ୍କୁ ଘର ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ସାଲୁଜା ।
ବିଧାୟକ ତାରାଙ୍କୁ କାଉଣ୍ଟର କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ଗୃହରେ ଯେଉଁ ତଥ୍ୟ ରଖାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ । କେନ୍ଦ୍ର ସରକାର ପକ୍କାଘର ଦେଉନଥିବା ଅଭିଯୋଗ ଠିକ ନୁହେଁ । କେନ୍ଦ୍ର ସରକାର ୧୫ ଲକ୍ଷ ଘର ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ସେଥିମଧ୍ୟରୁ ୮ ଲକ୍ଷ ଘର ଯୋଗାଇ ଦିଆଯାଇଛି । ମାତ୍ର ରାଜ୍ୟ ସରକାର ତାକୁ ପ୍ରାଥମିକତା ଭିତରେ ବାଣ୍ଟିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ । ସେହିପରି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ଉପେକ୍ଷା କରାଯାଇଛି । ରାଜ୍ୟ ସରକାର ଆବାସ ପ୍ଳସ ସାଇଟରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ବ୍ୟାପକ ତ୍ରୁଟି ରହିଛି । କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରତିଶୃତିବଦ୍ଧ ଆଉ ସେ ଦିଗରେ କାମ କରୁଛନ୍ତି। ମାତ୍ର ଏ ନେଇ ଗୃହକୁ ଭ୍ରମିତ କଲା ଭଳି ତଥ୍ୟ ଦିଆଯାଉଛି" ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।
ଅନ୍ୟପଟେ ବିରୋଧୀଙ୍କ ଟିପ୍ପଣୀ ଉପରେ ଜବାବ ରଖିଛନ୍ତି ଶାସକ ବିଜେଡି଼ ଦଳର ବିଧାୟକ ଧୃବ ସାହୁ । ସେ କହିଛନ୍ତି "କେନ୍ଦ୍ର ସରକାର ସଂସଦରେ (Right To Home) ବିଲ୍ ଆଣିଲେ । ଅର୍ଥାତ ପ୍ରତ୍ୟେକ ଲୋକଙ୍କୁ ଘର ଯୋଗାଇ ଦେବା ସାମ୍ବିଧାନିକ ଅଧିକାର ହେଲା । ରାଜ୍ୟର ସମସ୍ତଙ୍କୁ ଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ କେନ୍ଦ୍ର-ରାଜ୍ୟ ଅନୁଦାନ 60:40 ଅନୁପାତରେ ଚାଲିଛି । ରାଜ୍ୟର ଯେଉଁ 12 ଲକ୍ଷ ଲୋକ ଘର ଅପେକ୍ଷାରେ ଅଛନ୍ତି, କେନ୍ଦ୍ର ସରକାର 8 ଲକ୍ଷ ଘର ମଞ୍ଜୁର କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଅଂଶଧନ ବାବଦକୁ ଅର୍ଥ ରାଜ୍ୟକୁ ଦେଇ ନାହାଁନ୍ତି । ଫଳରେ ଅପେକ୍ଷାରେ ଥିବା ହିତାଧିକାରୀ ଘର ପାଇବାରେ ବିଳମ୍ବ ହେଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ବିଧାୟକ ଧୃବ କହିଛନ୍ତି, ଆମେ ଅନୁରୋଧ କରିବୁ କେନ୍ଦ୍ର ସରକାର ଆମର ଅଧିକାର ତୁରନ୍ତ ଦିଅନ୍ତୁ । ଆଶା କରିବୁ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନେବେ" ।
ଇଟିଭି ଭାରତ, ଭୁବନେଶ୍ବର