ଭୁବନେଶ୍ବର: ବିଧାନସଭାର Rules Of The Business ଧାରା ୧୫୪ ଓ ୧୫୫ ଅନୁଯାୟୀ କୌଣସି ବିଧାୟକ ଗିରଫ ହେବା ମାତ୍ରେ ଗିରଫ କରୁଥିବା ପୋଲିସ ଅଧିକାରୀ ଏନେଇ ତୁରନ୍ତ ବାଚସ୍ପତିଙ୍କୁ ଜଣାଇବା କଥା। ତେବେ ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ ଘଟଣାରେ ଏହି ନିୟମକୁ ପାଳନ କରାଯାଏ ନାହିଁ। ଯାହା ବିଧାୟକଙ୍କ ସ୍ବାଧିକାରକୁ ଭଙ୍ଗ କରୁଛି। ଆଜି ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀକୁ ନେଇ ଶୂନ୍ୟକାଳରେ ଆଲୋଚନା ବେଳେ ଏହା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ଗତକାଲି ନରସିଂହ ମିଶ୍ର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀରେ ପୋଲିସ ସ୍ବାଧିକାର ଭଙ୍ଗ କରୁଛିକି ନାହିଁ ସେ ନେଇ ଗୃହରେ ବୈଧାନିକ ପ୍ରଶ୍ନ ଉଠାଇଥିଲେ । ଏନେଇ ବାଚସ୍ପତିଙ୍କୁ ସବିଶେଷ ତଥ୍ୟ ଜଣାଇବାକୁ ଅନୁରୋଧ କରିବା ସହ ବାଚସ୍ପତିଙ୍କୁ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଲିଖିତ ଭାବେ ଜଣାଇଥିଲେ। ଆଜି ବାଚସ୍ପତି ନରସିଂହଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ଯେ ମାର୍ଚ୍ଚ ୨୨ ତାରିଖରେ ପ୍ରଶାନ୍ତ ଜଗଦେବ ଗିରଫ ହୋଇଥିଲେ । ଖୋର୍ଦ୍ଧା ଏସପି ମାର୍ଚ୍ଚ ୨୩ ତାରିଖ ଅପରାହ୍ନ ୨.୪୫ ବିଧାନସଭାକୁ ଇମେଲ ମାଧ୍ୟମରେ ଜଣାଇଥିଲେ। ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଛୁଟି ଥିବାରୁ ବାଚସ୍ପତି ଏହି ଖବର ପରଦିନ ମାର୍ଚ୍ଚ ୨୫ ତାରିଖରେ ପାଇଲେ ଓ ଗୃହକୁ ଅବଗତ କରିଥିଲେ ।
ତେବେ ବାଚସ୍ପତିଙ୍କ ଉତ୍ତରରେ ନରସିଂହ ମିଶ୍ର ସନ୍ତୁଷ୍ଟ ହୋଇନଥିଲେ। ପ୍ରଶାନ୍ତ ଜଗଦେବଙ୍କୁ ୨୨ ତାରିଖରେ ପୋଲିସ ଭୁବନେଶ୍ବରରୁ ଗିରଫ କଲା। ହେଲେ ଭୁବନେଶ୍ବରରେ ଥାଇ ପୋଲିସ ବାଚସ୍ପତିଙ୍କୁ ଏନେଇ ସୂଚନା ଦେଇ ପାରିଲେ ନାହିଁ। ୨୩ ତାରିଖ ୨.୪୫ ରେ ଇମେଲ ପଠାଇ ଭାବିନେଲେ ବାଚସ୍ପତିଙ୍କ ପାଖରେ ଖବର ପହଞ୍ଚିଛି। ନରସିଂହ ଏହି ଘଟଣାରେ ଗଣତନ୍ତ୍ରର ଗତି କୁଆଡେ ଯାଉଛି ପ୍ରଶ୍ନ କରିବା ସହ ବର୍ତ୍ତମାନ ସରକାରୀ ବ୍ୟବସ୍ଥା ଉପରେ ଦାୟୀ କରିଥିଲେ।
ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଥିବା ପୋଲିସ ଅଫିସର ଓ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟ ଗୃହରେ ବିଧାୟକ ମାନଙ୍କ ସ୍ବାଧିକାରକୁ ଭଙ୍ଗ କରିଛି। ଏହା ଗୃହର ସମସ୍ତ ସଦସ୍ୟଙ୍କ ଗରୀମାର ପ୍ରଶ୍ନ ବୋଲି ନରସିଂହ କହିବା ସହ ବାଚସ୍ପତିଙ୍କୁ ଏନେଇ ସବିଶେଷ ତଥ୍ୟ ରଖିବାକୁ ଅନୁରୋଧ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗତକାଲି ନରସିଂହଙ୍କ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଉପରେ ଅନୁଧ୍ୟାନ କରି ସବିଶେଷ ତଥ୍ୟ ତାଙ୍କୁ ଜଣାଇବେ ବୋଲି ବିଧାନସଭାରେ କହିଥିଲେ ।
ଭୁବେଶ୍ବରରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ରନାରାୟଣ ଦାସ, ଇଟିଭି ଭାରତ