ଭୁବନେଶ୍ବର: ପ୍ରଥମ ଓଡ଼ିଆ ଦିବ୍ୟାଙ୍ଗ ଭାବେ କମଳାକାନ୍ତ ନାୟକଙ୍କ ବିଶ୍ବ ରେକର୍ଡ । ୨୪ ଘଣ୍ଟାରେ ହ୍ବିଲ୍ ଚେୟାରରେ ୨୧୫.୪ କିମି ଦୂରତା ଅତିକ୍ରମ କରିଛନ୍ତି ଓଡ଼ିଆ ପୁଅ କମଳାକାନ୍ତ । ଏହି ରେକର୍ଡ ପୂର୍ବରୁ ପର୍ତ୍ତୁଗାଲର ୧୬ ବର୍ଷୀୟ କିଶୋର ମାରିଓ ଟ୍ରିଣ୍ଡାଆଡେଙ୍କ ନାମରେ ରହିଥିଲା । ସେ ହ୍ବିଲ୍ ଚେୟାରରେ ୨୪ ଘଣ୍ଟାରେ ୧୮୨.୪ କିମି ଦୂରତା ଅତିକ୍ରମ କରିଥିଲେ ।
ଆଜିର ଦିନରେ ଏଭଳି ଏକ ଉପଲବ୍ଧି ହାସଲ କରି ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ କ୍ରୀଡ଼ାବିତ୍ କମଳାକାନ୍ତ । ୭ ବର୍ଷ ପୂର୍ବେ ଭଲିବଲ ଖେଳୁଥିବା ସମୟରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା । ଖେଳୁଥିବା ବୁଲୁଥିବା କମଳାକାନ୍ତ ହ୍ବିଲ୍ ଚେୟାରର ସାହାରା ନେବାକୁ ବାଧ୍ୟ ହୋଇଥିଲେ । ଶଯ୍ୟାଶାୟୀ ହୋଇ ବାରମ୍ବାର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପରିବାର ଲୋକଙ୍କ ଅଦମ୍ୟ ସାହାସ ଓ ସମର୍ଥନ ତାଙ୍କୁ ପ୍ରେରଣା ଦେଇଥିଲା । ଯାହା ଫଳରେ ସେ ଆଜି ହ୍ବିଲ୍ ଚେୟାରରେ ମାତ୍ର ୨୪ ଘଣ୍ଟାରେ ୨୧୫ କିମି ଅତିକ୍ରମ କରି ନୂଆ ଇତିହାସ ସୃଷ୍ଟି କରିପାରିଛନ୍ତି । ଆଗାମୀ ଅଲମ୍ପିକ୍ସରେ ଭାଗ ନେଇ ଭାରତ ପାଇଁ ଗୌରବ ଆଣିବାକୁ ବୋଲି ଇଛା ପ୍ରକାଶ କରିଛନ୍ତି କମଳାକାନ୍ତ । ସେପଟେ ଏହି ସଫଳତା ଅନ୍ୟ ଦିବ୍ୟାଙ୍ଗଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି କମଳାକାନ୍ତଙ୍କ ମେଣ୍ଟର ଡକ୍ଟର ପତିତପାବନ ମହାନ୍ତି ।
ପୁରୀ ଜିଲ୍ଲାର ୨୮ ବର୍ଷୀୟ ଯୁବକ କମଳାକାନ୍ତ ଏଭଳି ଏକ ରେକର୍ଡ ହାସଲ କରିବା ପରେ ନିଜ ପରିବାର ସହ ଭୁବନେଶ୍ବରରେ ପହଞ୍ଚିଛନ୍ତି । ପୁଅର ସଫଳତାକୁ ନେଇ ପରିବାର ଲୋକେ ବି ବେଶ ଖୁସି ଜାହିର କରିଛନ୍ତି । ଏଭଳି ସଫଳତା ହାସଲ କରିବା ପାଇଁ କମଳାକାନ୍ତଙ୍କ ବଡ଼ ଭଉଣୀ ତାଙ୍କୁ ସବୁଠାରୁ ଅଧିକ ପ୍ରେରିତ କରିଥିଲେ । ତା ସହିତ ଅଦମ୍ୟ ଇଛା ଶକ୍ତି ଓ କିଛି କରିବାର ଇଛା ତାଙ୍କୁ ଏ ସ୍ଥାନରେ ପହଞ୍ଚାଇଛି ବୋଲି କହିଛନ୍ତି କମଳାକାନ୍ତ । ଏହି ୨୪ ଘଣ୍ଟାର ରେସ୍କୁ ରେକର୍ଡ କରାଯିବ ସହ ଗିନିଜ୍ ବୁକ ରେକର୍ଡ ପାଇଁ ପଠାଯିବ । ଏମିତି ଏକ ରେକର୍ଡ କରି ଯୁବପିଢ଼ିଙ୍କୁ ନୂଆ ଦିଗଦର୍ଶନ ଦେଇଛନ୍ତି ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତ୍ । ଏହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟ ଏହି ପାରା ଆଥଲେଟ୍ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ