ଭୁବନେଶ୍ବର : ଏପ୍ରିଲ୍ ୧ ତାରିଖରେ ଆରମ୍ଭ ହେବ “ମୋ ଜୀବନ ତୁ”ର ସୁଟିଂ । ଯାହାର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ଆଗାମୀ ଦିନରେ ଦର୍ଶକଙ୍କ ସାମ୍ନାକୁ ଭିନ୍ନ ସ୍ୱାଦର ଓଡିଆ ଚଳଚ୍ଚିତ୍ର “ମୋ ଜୀବନ ତୁ” ଦେଖିପାରିବେ । ନିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ପ୍ରଦୀପ ଓ ଅଙ୍କିତା ଭୌମିକ୍ ।
ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ସରୋଜ ଦାସ, କାଳିଆ, ପପୁ ସନ୍ତୁକ, ରିସ୍ନା, ଟନିଆ, ବାବୁ ପ୍ରଧାନ, ନେହା ଓ ଶୁଭଶ୍ରୀଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ । ଫିଲ୍ମର ପ୍ରଯୋଜନାରେ ଇମ୍ତିୟାଜ ଅଲ୍ଲି, ଯୁଗ୍ମ ନିର୍ଦ୍ଦେଶକ ଲୁବୁନ୍-ଟୁବୁନ୍, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, ଅଭିନେତା ପ୍ରଦୀପ ଓ ଅଙ୍କିତା ଭୌମିକ୍ ରହିଛନ୍ତି ।
ଫେଷ୍ଟିଭ ଡିଭାଇନ୍ ଇନ୍ଫ୍ରା ଆଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସୁମଧୁର ସ୍ୱର ଶୁଣିବାକୁ ମିଳିବ । ଯେଉଁଥିରେ ସାମିଲ ଅଛନ୍ତି ହ୍ୟୁମାନ୍ ସାଗର, ଇରା ମହାନ୍ତି, ଅଭିଜିତ ମଜୁମଦାର, ବିଷ୍ଣୁମୋହନ କବି, ଅସୀମା ପଣ୍ଡା, ଦିପ୍ତୀରେଖା ପାଢୀ ଓ ସ୍ୱୟମ୍ ପାଢୀ ।
ଭୁବନେଶ୍ବରରୁ ଦେସ୍ମିତା ରାଉତ, ଇଟିଭି ଭାରତ