ଭୁବନେଶ୍ବର: ଭାଲେଣ୍ଟାଇନ ଡେରେ ରିଲିଜ ଜହ୍ନ ଗୋଟେ ମିଠା ବିସ୍କୁଟ ଓ ଚଳଚ୍ଚିତ୍ର ଅଧାଲେଖା ଗପ । ଏହି ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନା ସଂସ୍ଥା ଦ୍ବାରା କରାଯାଇଛି । ତେବେ ଶିରିଡି ସାଇ ବାବା ମୁଭିଜ୍ ନିବେଦିତ ଆମ ଟିଭି ମ୍ୟୁଜିକ ପ୍ରଯୋଜିତ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ ଜହ୍ନ ଗୋଟେ ମିଠା ବିସ୍କୁଟକୁ ନିର୍ମାଣ କରିଛି ।
ଏହାର ସୁଟିଂ ଭୁବନେଶ୍ୱର ସ୍ଥିତ ଗିଫ୍ଟ ଇଞ୍ଜିନିୟରିଂ କଲେଜ ପରିସରରେ ହୋଇଛି । ଏହି ମ୍ୟୁଜିକ ଭିଡିଓଟି ୟୁଟ୍ୟୁବ୍ ଚ୍ୟାନେଲରେ ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ ଅବସରରେ ମୁକ୍ତିଲାଭ କରିବ। ପ୍ରେମ ଆଉ ପ୍ରତାରଣାର ଏକ ନିଛକ କାହାଣୀକୁ ନେଇ ମ୍ୟୁଜିକ ଭିଡିଓଟି ହୋଇଛି । ଏହି ଜହ୍ନ ଗୋଟେ ମିଠା ବିସ୍କୁଟର ଗୀତ ରଚନା କରିଛନ୍ତି ଚିର ସବୁଜ ଗୀତିକାର ଦେବଦାସ ଛୋଟରାୟ, କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ ଓ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଓମ୍ ପ୍ରକାଶ ମହାନ୍ତି।
ସେହିପରି ଅଭିନୟରେ ଅଛନ୍ତି ଅନେକ ସୁପରହିଟ୍ ମ୍ୟୁଜିକ ଭିଡିଓ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଅଭିଷେକ ଗିରି ଓ ଅଭିନେତ୍ରୀ ଜସ୍ମୀନ୍ ରଥ। ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା କରୁଛନ୍ତି ପ୍ରଣୟ ଜେଠୀ । ତେବେ ପ୍ରେମ ସପ୍ତାହ ଚାଲୁଥିବାରୁ ଏହି ଗୀତଟି ବେଶ ଭଲ ଆଦୃତ ଲାଭ କରିବ ବୋଲି ପ୍ରଜୋଯନା ସଂସ୍ଥା ଆଶା ରଖିଛି।
ସେହିଭଳି ଭାଲେଣ୍ଟାଇନ ଡେରେ ରିଲିଜ ହେବାକୁ ଯାଉଛି ଅଭିଷେକ ଗିରିଙ୍କ ଅଭିନୀତ ଅଧାଲେଖା ଗପ ଫିଲ୍ମ । ଏହା ୧୩ ତାରିଖ ଦିନ ରିଲିଜ ହେଉଛି । ଚଳଚ୍ଚିତ୍ରଟି ମଧ୍ୟ ଏକ ନିଛକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ତାହା ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛନ୍ତି ଅଭିଷେକ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ