ଭୁବନେଶ୍ବର: ୬ ଦଶନ୍ଧି ପରେ ପୁଣି ଲୋକ ଦେଖିବେ ଓଡ଼ିଆ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଫିଲ୍ମ "ଶ୍ରୀ ଲୋକନାଥ"। ଏହି ଫିଲ୍ମର ପୁର୍ନସଂରକ୍ଷଣ ପରେ ଆଜି (ସୋମବାର) ପୁରୀ ଟାଉନ ହଲରେ ସନ୍ଧ୍ୟାରେ ପୁଣି ଦର୍ଶକ ଦେଖିବାକୁ ପାଇବେ ଏହି ଫିଲ୍ମ । ପୂର୍ବଭଳି ପୁଣି ଥରେ ଦର୍ଶକଙ୍କୁ ଏହି ଚଳଚ୍ଚିତ୍ର ବାନ୍ଧି ରଖିପାରିବ ବୋଲି ସିନେ ସମୀକ୍ଷକ ଆଶା କରିଛନ୍ତି ।
୧୯୬୦ ଏପ୍ରିଲ ୧୪ ତାରିଖରେ କ୍ୟାପିଟାଲ ଟକିଜ୍ରେ ମୁକ୍ତିଲାଭ କରିଥିଲା ସିନେମା 'ଶ୍ରୀଲୋକନାଥ' । ଏହି ଚଳଚ୍ଚିତ୍ରର ପ୍ରତିଟି କାହାଣୀ ଏବଂ ଚରିତ୍ର ଲୋକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିପାରିଥିଲା । ଏହି ସିନେମା ରାଷ୍ଟ୍ରପତି ପୁରସ୍କାର ପାଇଁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ପୂର୍ବରୁ ଓଡ଼ିଆ ସିନେମା କେତେ ସମୃଦ୍ଧ ଥିଲା ତାହା ଯୁବପିଢିଙ୍କୁ ଜଣାଇବା ପାଇଁ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଏହି ଫିଲ୍ମର ସଂରକ୍ଷଣ ଏବଂ ପୁର୍ନରୁଦ୍ଧାର କରିଥିଲା । ଏହି ଫିଲ୍ମରେ ଅକ୍ଷୟ ମହାନ୍ତି, ସାମୁଏଲ ସାହୁ, ଦୁଃଖୀରାମ ସ୍ବାଇଁ, ଇନ୍ଦ୍ରଜିତ, ମଣୀମାଳା, ଶାନ୍ତି, ଉର୍ବଶୀଙ୍କ ଭଳି ପ୍ରମୁଖ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର