ଭୁବନେଶ୍ବର: ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତ୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସି ବର୍ଗକୁ ଅଣଦେଖା କରୁଛନ୍ତି । ତାଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରୀରୁ ଆଦି କ୍ଷେତ୍ରରେ ବଂଚିତ ରଖୁଛନ୍ତି । ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣାର ଛଳନା କରି ଭ୍ରମିତ କରୁଛନ୍ତି । ରାଜ୍ୟ ସରକାରଙ୍କ ବାସ୍ତବରେ ଓବିସିଙ୍କ ବିକାଶ ପାଇଁ କୈାଣସି ଇଚ୍ଛାଶକ୍ତି ନାହିଁ । ଏହା କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ।
ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୁରଥ କହିଛନ୍ତି ଯେ, ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଛନ୍ତି । ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସିବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । ଗତ ଓଡିଶା ପଂଚାୟତ ନିର୍ବାଚନର ବହୁ ପୂର୍ବରୁ ମଧ୍ୟପ୍ରଦେଶ ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା । ଯଦିଓ ମଧ୍ୟପ୍ରଦେଶରେ ଓବିସି ବର୍ଗଙ୍କ ସଂଖ୍ୟା ଓଡିଶା ରାଜ୍ୟରୁ କମ୍ ତଥାପି ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ବିନା ଓବିସି ସଂରକ୍ଷଣରେ ନିର୍ବାଚନ କରିବୁ ନାହିଁ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଥିଲେ ।
ଓଡିଶା ସରକାର ଏହି ସମୟରେ ରାଜ୍ୟରେ ଓବିସି ବର୍ଗଙ୍କ ସଂଖ୍ୟା ଓ ଅନୁପାତ ସଂପର୍କିତ କୈାଣସି ତଥ୍ୟ ନାହିଁ ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । ଗତ ୩ ଦିନ ତଳେ ମଧ୍ୟପ୍ରଦେଶରେ ଓବିସିବର୍ଗଙ୍କୁ ସଂରକ୍ଷଣ ଦେଇ ପଂଚାୟତ ନିର୍ବାଚନ ଅନୁଷ୍ଠିତହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ପଟେ ଓବିସିଙ୍କ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିବଦ୍ଧତା ଦେଖିବାକୁ ମିଳୁଥିବାବେଳେ ଅନ୍ୟ ପଟେ ଓଡିଶା ସରକାରଙ୍କ ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ଓବିସିବର୍ଗଙ୍କୁ ଶକ୍ତ ଆଘାତ ଦେଇଛି ବୋଲି ସେ କହିଛନ୍ତି । ଓବିସି କମିଶନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଓବିସି କମିଶନ ଗୋଟିଏ ସାମ୍ବିଧାନିକ ପଦବୀ ।
ସେ ନିରପେକ୍ଷତା ଅବଲମ୍ବନ କରିବା ଉଚିତ। ରାଜ୍ୟରେ ଥିବା ଓବିସିବର୍ଗଙ୍କ ସ୍ବାର୍ଥର ସୁରକ୍ଷା ତାଙ୍କ ପାଇଁ ପ୍ରାଥମିକତା ହେବା ଉଚିତ । ମାତ୍ର ବହୁ ବିଳମ୍ବରେ ନିଯୁକ୍ତ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ହାତରେ କଣ୍ଡେଇ ସାଜିଥିବା ରାଜ୍ୟ ଓବିସି କମିଶନ କରୁଛନ୍ତି କଣ ବୋଲି ବିଜେପି ପ୍ରଶ୍ନ କରିଛି । ଓବିସି ବର୍ଗଙ୍କ ସ୍ୱାର୍ଥକୁ ବଳି ପକାଇ କାହା ସ୍ବାର୍ଥରେ କମିଶନ କାର୍ଯ୍ୟ କରୁଛନ୍ତି ? ଓବିସି ବର୍ଗ ନିଜ ହକରୁ ସବୁଦିନ ପାଇଁ ବଂଚିତ ରହିବା କାର୍ଯ୍ୟକୁ କମିଶନ ମହୋଦୟ ସଂପାଦନା କରୁଛନ୍ତି କି ? କେଉଁ କେଉଁ ଜାତି ଓବିସିବର୍ଗରେ ଅନ୍ତର୍ଭୁକ୍ତ ହେବେ, ସେହି ତାଲିକା ପ୍ରସ୍ତୁତି ହୋଇପାରିନାହିଁ କାହିଁକି ? ନିଯୁକ୍ତି ପାଇବା ପରଠାରୁ ଓବିସିବର୍ଗଙ୍କ ସ୍ବାର୍ଥ ପାଇଁ କମିଶନ କଣ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ରାଜ୍ୟରେ ଥିବା ଓବିସିବର୍ଗଙ୍କ ସଂଖ୍ୟା ଓ ଅନୁପାତ ସଂପର୍କରେ କେବେ ରିପୋର୍ଟ ଦେବେ କମିଶନ ବୋଲି ସୁରଥ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର କମିଶନଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି କି ନାହିଁ ? ଯଦି ଦେଇନାହାନ୍ତି ତାହାଲେ କାହିଁକି ? ପଞ୍ଚାୟତ ନିର୍ବାଚନ ସମାପ୍ତ ହେବାର ୪ ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କାହିଁକି ପୁନର୍ବାର ଓବିସି ସଂରକ୍ଷଣ ସଂପର୍କରେ କୋର୍ଟର ଦ୍ବାରସ୍ଥ ହୋଇନାହାନ୍ତି ? ମଧ୍ୟପ୍ରଦେଶ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାର ୩ ଦିନ ବିତିଯାଇଥିଲେ ସୁଦ୍ଧା ଓଡିଶା ସରକାର କାହିଁକି କୈାଣସି ତତ୍ପରତା ପ୍ରକାଶ କରିନାହାନ୍ତି । ରାଜ୍ୟ ସରକାର ଓବିସି ବିରୋଧୀ ମନୋଭାବକୁ ପରିତ୍ୟାଗ ନକଲେ ଓବିସି ମୋର୍ଚ୍ଚା ଲୋକଙ୍କ ପାଖକୁ ଯାଇ ଏବଂ ଲୋକମାନଙ୍କ ସହିତ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ