ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଜନିତ ମୃତ୍ୟୁରେ ବି ଲାଗୁନି ବ୍ରେକ । 2020 ବର୍ଷ ତୁଳନାରେ 2021ରେ 7.24 ପ୍ରତିଶତ ଅଧିକ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି । ଦୁର୍ଘଟଣା ଓ ଆକସ୍ମିକ ଦୁର୍ଘଟଣା କମାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ଏନେଇ ସମସ୍ତ ଜିଲ୍ଲାପାଳ, ଏସପି, ଡିସିପି, ଟ୍ରାଫିକ ଡିସିପି ଓ ଆରଟିଓଙ୍କୁ ଚିଠି ଲେଖିଛନ୍ତି ସଚିବ । ଗୋଟିଏ ମାସ ପର୍ଯ୍ୟନ୍ତ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ କାର୍ଯ୍ୟକାରୀ ପାଇଁ କଡା ତାଗିଦ କରିଛନ୍ତି ସଚିବ ।
2020 ବର୍ଷ ତୁଳନାରେ 2021ରେ 7.24 ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ବଢିଛି । 2021ରେ 10,984 ଟି ସଡ଼କ ଦୁର୍ଘଟଣା ରିପୋର୍ଟ ହୋଇଛି । ସେଥିରୁ 5,081 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 9,782 ଆହତ ହୋଇଛନ୍ତି । ରାଜ୍ୟରେ 2014ରେ ସଡ଼କ ଦୁର୍ଘଟଣାରେ 3,931 ଜଣଙ୍କର ମୃତ୍ୟୁ ହୋଇଥିଲା । ଯଦି ତଥ୍ୟକୁ ତର୍ଜମା କରାଯାଏ, ତେବେ 2014 ତୁଳନାରେ 2021ରେ 29 ପ୍ରତିଶତ ମୃତ୍ୟୁସଂଖ୍ୟା ବଢିଛି । ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଅଧା କରିବା ଲାଗି 2020ରେ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
2020 ତୁଳନାରେ 2021ରେ ଗଜପତି, ଝାରସୁଗୁଡା, ବୌଦ୍ଧ ଓ ରାୟଗଡ଼ାରେ ମୃତ୍ୟୁ ସଂଖ୍ୟା 25 ପ୍ରତିଶତରୁ ଅଧିକ ରହିଛି । ଗଜପତି ଜିଲ୍ଲାରେ 2020ରେ 94ଟି ଦୁର୍ଘଟଣା ରିପୋର୍ଟ ହୋଇଥିଲା । ସେଥିରୁ 43 ଜଣଙ୍କର ମୃତ୍ୟୁ ହୋଇଥିଲା । 2021ରେ 125 ଦୁର୍ଘଟଣା ରିପୋର୍ଟ ହୋଇଥିବାବେଳେ 57 ଜଣଙ୍କର ଜୀବନ ନେଇଛି । ଫଳରେ ଗଜପତି ଜିଲ୍ଲାରେ ମୃତ୍ୟୁସଂଖ୍ୟା 2020 ତୁଳନାରେ 2021ରେ 32.56 ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି 2020 ତୁଳନାରେ 2021 ବର୍ଷରେ ଝାରସୁଗୁଡାରେ 29.03, ବୌଦ୍ଧରେ 28.57, ରାୟଗଡ଼ା 26.67 ପ୍ରତିଶତ ଅଧିକ ଜୀବନ ନେଇଛି ସଡ଼କ ଦୁର୍ଘଟଣା ।
2021ରେ କେନ୍ଦୁଝର, ଗଞ୍ଜାମ, ସୁନ୍ଦରଗଡ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା ଓ କଟକରେ ଦୁଇ ଶହରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଏହିସବୁ ଜିଲ୍ଲାରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରୋକ ଲଗାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜିଲ୍ଲାରେ କାହିଁକି ଦୁର୍ଘଟଣା ଘଟୁଛି ଓ ଏହାର ନିରାକରଣ ନେଇ କ'ଣ ପଦକ୍ଷେପ ନେଇ 15 ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନିୟମିତ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଡାକି ଦୁର୍ଘଟଣା ରୋକିବାକୁ ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ