ଭୁବନେଶ୍ବର: ଓଡ଼ିଶାର ପାଣିପାଗ ଓ ପରିବେଶ ଡ଼ଲଫିନଙ୍କ ପାଇଁ ବେଶ ସୁହାଇଛି । ବଢ଼ୁଥିବା ଡ଼ଲଫିନଙ୍କ ସଂଖ୍ୟା ଏହାର ପ୍ରମାଣ ଦେଉଛି । ବର୍ଷକ ମଧ୍ୟରେ ରାଜ୍ୟରେ ଡ଼ଲଫିନଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି ହୋଇଛି । ହମ୍ପବ୍ୟାକ ବଟଲନୋଜ ପ୍ରଜାତିର ଡ଼ଲଫିନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । 2020 ଗଣନାରେ ରାଜ୍ୟରେ ମୋଟ 233ଟି ଡ଼ଲଫିନ ଥିବାବେଳେ 2021ରେ ଏହାର ସଂଖ୍ୟା 544କୁ ବୃଦ୍ଧି ପାଇଛି ।
ଚିଲିକା, ରାଜନଗର, ପୁରୀ, ଭଦ୍ରକ ଓ ବାଲେଶ୍ଵର ଡିଭିଜନ ଗୁଡିକରେ ବିଭିନ୍ନ ପ୍ରଜାତିର ଡ଼ଲଫିନ ଚିହ୍ନଟ କରାଯାଇଛି । ଚିଲିକା ହ୍ରଦରେ 188, ରାଜନଗର ବନଖଣ୍ଡରେ 342, ପୁରୀ ବନଖଣ୍ଡରେ 4, ଭଦ୍ରକ ବନଖଣ୍ଡରେ 8 ଓ ବାଲେଶ୍ଵର ବନଖଣ୍ଡରେ 2 ଡ଼ଲଫିନ ଅଛନ୍ତି ତେବେ ବ୍ରହ୍ମପୁରର କୌଣସି ବନଖଣ୍ଡରେ ଡ଼ଲଫିନର ସନ୍ଧାନ ମିଳିନାହିଁ । 2020 ସେନ୍ସସ ଅନୁସାରେ ରାଜ୍ୟରେ ମାତ୍ର 2ଟି ହମ୍ପବ୍ୟାକ ଡ଼ଲଫିନ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଏହା 14 ଗୁଣା ବୃଦ୍ଧି ହୋଇଛି । 2021 ବର୍ଷରେ ରାଜ୍ୟରେ 28 ଟି ହମ୍ପବ୍ୟାକ ଡ଼ଲଫିନ ଅଛନ୍ତି । କେବଳ ରାଜନଗର ହେନ୍ତାଳ ବଣରେ ଗତବର୍ଷ 2 ଟି ହମ୍ପବ୍ୟାକ ଡ଼ଲଫିନ ଥିଲେ ।
ସେହିପରି ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଇରାୱାଡି ଡ଼ଲଫିନ ସଂଖ୍ୟା ମାତ୍ର ଗୋଟେ ଅଧିକ ଅଛି । ଗତବର୍ଷ ରାଜ୍ୟରେ 208ଟି ଇରାୱାଡି ଡ଼ଲଫିନ ଥିବାବେଳେ ଚଳିତବର୍ଷ ଏହା 209 ହୋଇଛି । ଚଳିତ ବର୍ଷ ଚିଲିକାରେ ୧୬୨, ରାଜନଗରରେ ୩୯ ଓ ଭଦ୍ରକରେ ୮ଟି ଇରାୱାଡ଼ି ଡଲ୍ଫିନ୍ ଥିବା ଗଣନା ସମୟରେ ଜଣାପଡ଼ିଛି । ଗତବର୍ଷ ଚିଲିକାରେ ୧୪୬, ରାଜନଗରରେ ୬୦, ପୁରୀରେ ୨ଟି ଇରାୱାଡ଼ି ଡଲ୍ଫିନ୍ ଥିଲେ କିନ୍ତୁ ରାଜ୍ୟରେ ବଟଲନୋଜ୍ ଡଲଫିନ୍ ସଂଖ୍ୟା ଦୁଇଗୁଣାରୁ ଅଧିକ ବୃଦ୍ଧି ପାଇଛି ।
ଗତବର୍ଷ ଏହି ପ୍ରଜାତିର ୨୩ଟି ଡଲ୍ଫିନ୍ ଥିବାବେଳେ ଚଳିତବର୍ଷ ଏହାର ସଂଖ୍ୟା ୫୪ ହୋଇଛି । ଚିଲିକାରେ ୨୬, ରାଜନଗରରେ ୨୨ , ପୁରୀରେ ୪ ଓ ବାଲେଶ୍ବରରେ ୨ଟି ବଟଲନୋଜ୍ ଡଲଫିନ୍ ଥିବା ଜଣାପଡ଼ିଛି ।ଉପକୂଳଠାରୁ ସମୁଦ୍ରର ୧ କିମି ଦୂରତା ମଧ୍ୟରେ ଡଲ୍ଫିନ୍ ଗଣନା କରାଯାଇଥିଲା । ସମୁଦ୍ର ତଟରୁ ୫୦୦ ମିଟର ପର୍ଯ୍ୟନ୍ତ ଲାଇନ୍ ଟ୍ରାନଜାକ୍ଟ ବ୍ୟବହାର କରାଯାଇ ଗଣନା କରାଯାଇଥିଲା । ଏହି ଲାଇନ୍ର ଉଭୟ ପାର୍ଶ୍ଵରେ ଡଲ୍ଫିନ୍ ଥିବା ଦେଖାଯାଇଥିଲା ।
ଚଳିତବର୍ଷ ଜାନୁଆରୀ ୧୭ ରେ ରାଜ୍ୟର ଡ଼ଲଫିନ ଦେଖାଯାଉଥିବା ସବୁ ସ୍ଥାନରେ ଗଣନା କରାଯାଇଥିଲା କିନ୍ତୁ ପ୍ରତିକୂଳ ପାଣିପାଗ ଓ ଘନ କୁହୁଡ଼ି ଥିବାରୁ କେବଳ ଭଦ୍ରକ ବନଖଣ୍ଡ ବ୍ୟତୀତ ଆଉ କେଉଁ ସ୍ଥାନରେ ଗଣନା ସମ୍ଭବ ହୋଇପାରି ନଥିଲା । ତେଣୁ ଜାନୁଆରୀ ୨୯, ଫେବୃଆରୀ ୫ ଓ ୧୨ ତାରିଖରେ ପୁଣି ଥରେ ପର୍ଯ୍ୟାୟ କ୍ରମେ ଡ଼ଲଫିନ ଗଣନା କରାଯାଇଥିଲା । ୪୧ଟି ଡ଼ଲଫିନ ଗଣନାକାରୀ ଦଳରେ ବନ ବିଭାଗ କର୍ମଚାରୀ, ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ, ଉପକୂଳ ଡିଭିଜର କର୍ମଚାରୀ, ଡବ୍ଲଡବ୍ଲଏଫ୍ - ଇଣ୍ଡିଆର ରାଜ୍ୟ କାର୍ଯ୍ୟାଳୟ, ଏନ୍ଜିଓ ପ୍ରତିନିଧି, ବିଏନ୍ଏଚ୍ଏସ୍ ମୁମ୍ବାଇ, ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ଗବେଷକ ତଥା ଶିକ୍ଷାବିତ୍, ଓଡ଼ିଶା ବନ୍ୟପ୍ରାଣୀ ସମିତି, ଓୟୁଏଟିର ଗବେଷକ, ପିପୁଲ ଫର ଆନିମାଲ, ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ, ଆନିମାଲ ରିସୋର୍ସ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଏବଂ ସ୍ଥାନୀୟ ମୋଟର ବୋଟ୍ ସଂଘର କର୍ମକର୍ତ୍ତାମାନେ ଡଲ୍ଫିନ୍ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ