ଭୁବନେଶ୍ବର: ଦାବି ପୂରଣ ନ ହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ । ସରକାରୀ ଅନୁଦାନ ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ । ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅଧିକାର ଯାତ୍ରା ନାମରେ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି । ସୋମବାର ଅଧିକାର ଯାତ୍ରାର ମହାସମାବେଶରେ ରାଜ୍ୟର କୋଣ ଅନୁକୋଣରୁ ସାମିଲ ହୋଇଥିଲେ ଅଧ୍ୟାପକ । ଦାବି ମୁତାବକ ୨୦୦୮ ଜୁନ ପହିଲାରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଏ ପର୍ଯ୍ୟନ୍ତ ଅନୁଦାନ ପରିସର ଭୁକ୍ତ କରିନାହାନ୍ତି । ଏପରିକି କୋରୋନା ମହାମାରୀ ଯୋଗୁଁ ବହୁ ଘରୋଇ ଅଧ୍ୟାପକ ଜୀବିକା ହରାଉଛନ୍ତି ଏବଂ କିଛି ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଫଳରେ ଘରୋଇ କଲେଜର ଅଧ୍ୟାପକ ଦୁର୍ଦିନରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କ ଜୀବନ ଓ ଜୀବିକା ସୁରକ୍ଷାକୁ ନେଇ ସରକାର ସେମାନଙ୍କ ଦାବି ପୂରଣ ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ସବୁଠି କେବଳ ମିଥ୍ୟା ପ୍ରତିଶ୍ରୁତି ମିଳିଛି। ପ୍ରଶାସନିକ ଶୀଥିଳତା ଓ ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁଁ ଅଧ୍ୟାପକମାନେ ୧୩ ବର୍ଷ ହେବ ଅନୁଦାନରୁ ବଞ୍ଚିତ ରହିଛନ୍ତି। ତେଣୁ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ସଂଘର ସଦସ୍ୟ ମାନେ କହିଛନ୍ତି । ଏପରିକି ଆବଶ୍ୟକ ପଡିଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ସଭାପତି ବିଶ୍ବ ରଞ୍ଜନ ଦାସ କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ