ଭୁବନେଶ୍ବର: ଏବେ ଦିନବେଳା ଲାଗୁ ହେବନି କର୍ଫ୍ୟୁ । ରାଜ୍ୟରେ ସେଭଳି ପରିସ୍ଥିତି ଉପୁଜି ନାହିଁ । ତେଣୁ ବର୍ତ୍ତମାନ ଦିନବେଳା କର୍ଫ୍ୟୁ ଲଗା ଯିବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ୍ତ କୁମାର ଜେନା ।

ଦିନବେଳା କର୍ଫ୍ୟୁ ଲାଗିବା ନେଇ ସୃଷ୍ଟି ହୋଇଥିବା ଆଶଙ୍କାରେ ବ୍ରେକ ଲାଗିଛି । ଦିନ ସମୟରେ ରାଜ୍ୟରେ କର୍ଫ୍ୟୁ ଲଗାଇବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି(ରବିବାର) ପୂର୍ବାହ୍ନରେ ଦେଇଥିବା ପ୍ରତିକ୍ରିୟା ନିଆଁ ଭଳି ସାରା ରାଜ୍ୟରେ ବ୍ୟାପିଥିଲା । ସନ୍ଧ୍ୟା ହେଉ ହେଉ ଏହି ଆଶଙ୍କାରେ ବ୍ରେକ ଲଗାଇଛନ୍ତି ଏସଆରସି । ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଦିନରେ କର୍ଫ୍ୟୁ ଲଗାଇବା ନେଇ ସ୍ଥିତି ଉପୁଜି ନାହିଁ । କୋରୋନା କଟକଣାକୁ କଡାକଡି ଭାବେ ମାନିବା ଲାଗି ଏସଆରସି ନିବେଦନ କରିଛନ୍ତି । ମାସ୍କ, ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଆସନ୍ତାକାଲିଠୁ ରାଜ୍ୟର 10ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିବି ଭାରତ