ଭୁବନେଶ୍ବର: ଅସିତ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତ ହେବାପରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ପୂର୍ବଭଳି ସମାନ୍ତରାଳ ଭାବରେ ନ କରି କିପରି ଦ୍ରୁତ ଭାବରେ ହୋଇପାରିବ ତା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନିଜ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି ଏହା ଯେ କୌଣସି ଆଇଏଏସ ଅଫିସର ପାଇଁ ଏକ ବିଶେଷଅଧିକାର । ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ନ୍ୟାୟ ବାବଦରେ ଏକ ଦୃଢ ପଦକ୍ଷେପ ନେଇଛନ୍ତି । 5 ‘ଟି’ ର ସଫଳ ପ୍ରୟୋଗକୁ ଗୁରୁତ୍ବ ଦିଆଯାଇଛି । ଯାହା ଦ୍ବାରା ସମସ୍ତେ ସମାନ ଭାବରେ ସେବା ଓ ଯୋଜନାର ଲାଭ ଉଠାଇପାରିବେ । ସେହିଭଳି ସେ ଅଧିକ ଅଭିବୃଦ୍ଧି ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି ଦିଗରେ କାର୍ଯ୍ୟକରିବେ ବୋଲି ସେ କହିଛନ୍ତି ।
ପ୍ରତିଟି ବିଭାଗରେ କିପରି ସହଜରେ ସେବା ଓ ସୁବିଧା ଉପଲବ୍ଧ ହେବ ସେଥିପାଇଁ ଉଦ୍ୟମ କରାଯିବ । ତହସିଲମାନଙ୍କରେ ଅନଲାଇନରେ ଭୂମିକର ଦାଖଲ ପାଇଁ ଆଜିଠାରୁ ବ୍ୟବସ୍ଥା କରାଯାଇଥିବା କଥା ସେ ଉଲ୍ଲେଖ କରିଛନ୍ତି । ଟେକ୍ନୋଲୋଜି ବ୍ୟବହାର କରାଯାଇ ପ୍ରତିଟି ବିଭାଗର କାର୍ଯ୍ୟକୁ ସହଜ କରାଯିବ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ବିଭିନ୍ନ ଥାନା, ବ୍ଲକ ଓ ଡାକ୍ତରଖାନାକୁ ଫୋନ କରି ଦିଆଯାଉଥିବା ସେବା ସଂପର୍କରେ ପଚାରି ବୁଝିବେ । ତେଣୁ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ନବନିଯୁକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନୂତନ ଓଡିଶା ସଂପର୍କରେ ଉତ୍ତର ଦେଇ କହିଛନ୍ତି, ଓଡିଶା ଯେଉଁ ବୃଦ୍ଧିଶୀଳ ପ୍ରକ୍ରିୟାରେ ଆସିଛି ଆଉ ତାହା ପ୍ରୟୋଗ କରାଯିବ ନାହିଁ । ତା ବଦଳରେ ଜ୍ୟାମିତିକ ଅନୁକ୍ରମ ବା ଜୋମେଟ୍ରିକ ପ୍ରୋଗ୍ରେସନ ପ୍ରକ୍ରିୟାର ପ୍ରଯୋଗ କରାଯିବ । ଯାହା ଦ୍ବାରା ଖୁବ କମ ସମୟରେ ଅଧିକ ଅଭିବୃଦ୍ଧି ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହା ଦ୍ବାରା ଦ୍ରୁତ ଅଭିବୃଦ୍ଧି ପାଇ ପାରିବ ।
ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ୧୯୮୬ ବ୍ୟାଚ୍ ଆଇଏଏସ ଅଫିସର । ସେ ପୂର୍ବରୁ ରାଜ୍ୟ ଗୃହ ବିଭାଗ ଓ ଉନ୍ନୟନ କମିଶନର ଦାୟିତ୍ବରେ ରହିଥିଲେ ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ