ଭୁବନେଶ୍ବର: କଡାକଡି ହେବ ଟ୍ରାଫିକ୍ ନିୟମ । ନିୟମ ନମାନିଲେ ପୁଣି ଭାରି ମାତ୍ରାରେ ଫାଇନ ଦେବାକୁ ପଡିବ । ଜୋରଦାର ଫାଇନ ସହ ଲାଗୁ ହେବ ଟ୍ରିପଲ-ଇ ଅର୍ଥାତ ଟ୍ରିପଲ ଇଞ୍ଜିନିୟରିଂ । ଟ୍ରାଫିକ ପୋଷ୍ଟ ସହ ଛକ, ରାସ୍ତା ମରାମତି ଓ ଲୋକଙ୍କ ଉତ୍ତମ ଗମନାଗମନ ପାଇଁ ସୁବିଧା ସୁଯୋଗ କରାଯିବ ।
ସରୁଛି ଡେଡଲାଇନ୍ । କାଗଜପତ୍ର ପ୍ରସ୍ତୁତି ପାଇଁ ଲୋକଙ୍କୁ ଦିଆଗଲା 3 ମାସର ସମୟ । ଯଦି ଏଣିକି ନିୟମ ନମାନନ୍ତି ତେବେ କଡାକଡି ହେବ ଫାଇନ୍ । ଟ୍ରିପଲ-ଇ ଅର୍ଥାତ ଇଞ୍ଜିନିୟରିଂ, ଏଜୁକେସନ୍ ଓ ଏନଫୋର୍ସମେଣ୍ଟ । ପ୍ରଥମେ ରାସ୍ତା ମରାମତି, ଦ୍ବିତୀୟରେ ସ୍କୁଲ-କଲେଜରେ ପଥପ୍ରାନ୍ତ ନାଟକ ଓ ତୃତୀୟରେ ଥରେ ନିୟମ ନମାନିଲେ ପୁନଃଶ୍ଚ ଡବଲ୍ କରି ଫାଇନ ଆଦାୟ କରାଯିବା ସହ କାଗଜପତ୍ର ରବ୍ଦ କରାଯିବ । ସିଟବେଲ୍ଟ ଠାରୁ ଆରମ୍ଭ କରି ଟ୍ରିପଲ ରାଇଡ୍ ଓ ମଦ୍ୟପାନ କରି ଡ୍ରାଇଭିଂ କଲେ ପଡିବ ଫାଇନ୍ ।
ଏଥିପାଇଁ ପ୍ରସ୍ତୁୁତ ହୋଇସାରିଛି ରୋଡ ମ୍ଯାପ । ପ୍ରସ୍ତୁତ ହୋଇଛନ୍ତି ଟ୍ରାଫିକ କର୍ମଚାରୀ । ରାଜଧାନୀର ଦୁଇଟି ଓ କଟକରେ ଗୋଟିଏ ଟ୍ରାଫିକ ଥାନା ସହ ଦୁଇଜଣ ଟ୍ରାଫିକ ଏସିପି ଓ ଟ୍ରାଫିକ ଡିସିପି ପ୍ରସ୍ତୁତ । ଟ୍ରାଫିକ ଉଲଙ୍ଘନକାରିଙ୍କୁ ସାବାଡ ପାଇଁ ବ୍ଲୁପ୍ରିଣ୍ଟ । ଅନ୍ଯପଟେ କେବଳ ଟ୍ରାଫିକ କର୍ମଚାରୀ ଓ ଥାନା ପ୍ରସ୍ତୁତ ନୁହେଁ ବରଂ ଭିତ୍ତିଭୂମି ସଜାଡିବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜିବି । ତେବେ ରାଜମହଲ ଛକରେ ଟ୍ରାଫିକ ଉଲଙ୍ଘନକାରୀଙ୍କ ତୁମୁଳକାଣ୍ଡ ପରେ ୩ମାସ ସମୟ ଦେଇଥିଲେ ମୁଖ୍ଯମନ୍ତ୍ରୀ । ତେବେ ଦେଖିବାର କଥା ଡିସେମ୍ବର ପହିଲାରୁ କେତେ ସଚେତନ ହେଲେଣି ଟ୍ବିନିସିଟିବାସୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ