ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ରୌଦ୍ର ତାପ ପ୍ରଖର ହେବାରେ ଲାଗିଛି । ରାଜ୍ୟରେ ପାରଦ ଆସନ୍ତା କିଛିଦିନ ମଧ୍ୟରେ 40 ଡିଗ୍ରୀ ଟପିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିରେ ବିଶେଷ ଭାବରେ ପ୍ରଭାବିତ ହେବେ ନିର୍ମାଣ ଶ୍ରମିକ । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରେ ନିର୍ମାଣ ଶ୍ରମିକଙ୍କ ପାଇଁ ଶ୍ରମ ବିଭାଗ ଜାରି କରିବ ନୂଆ ମାର୍ଗଦର୍ଶିକା ।
ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ମାସରେ ନିର୍ମାଣ ଶ୍ରମିକଙ୍କ ପାଇଁ ଆସିବ ନୂଆ ମାର୍ଗଦର୍ଶିକା । ଶ୍ରମ ବିଭାଗ ପ୍ରମୁଖ ସଚିବ ଏହି ମାର୍ଗଦର୍ଶିକା ଜାରି କରିବେ । ଟାଣଖରା ଯୋଗୁଁ କୋଠାବାଡ଼ି ସଂସ୍ଥା ଓ କମ୍ପାନୀ ଏହି ନିୟମ ମାନିବେ । ଏହି ମାର୍ଗଦର୍ଶିକା ରୌଦ୍ର ତାତିକୁ ଦୃଷ୍ଟିରେ ରଖି ଏପ୍ରିଲ ୧ ତାରିଖରୁ ଜୁନ୍ ୧୫ ଯାଏଁ କାର୍ଯ୍ୟକାରୀ କରାଯିବ ।
ସକାଳ ୧୧ ଟାରୁ ୩ ଟା ଏବଂ ୧୧.୩୦ରୁ ୩.୩୦ ଯାଏଁ କାମ ବନ୍ଦ ରହିବ । କାରଣ ଟାଣ ଖରାରେ କାମ କରିବାକୁ ବାରଣ କରାଯିବ । କାର୍ଯ୍ୟକ୍ଷେତ୍ରରେ ପର୍ଯ୍ୟାପ୍ତ ପାଣି ଓ ORS ରଖାଯିବ । ନିୟମ କାର୍ଯ୍ୟକାରୀ ହେଉଛି ନା ନାହିଁ, ସେଥିପାଇଁ ଶ୍ରମ ବିଭାଗ ନିୟମିତ ତଦାରଖ କରିବ ବୋଲି ଶ୍ରମ ବିଭାଗର ଯୁଗ୍ମ ଶ୍ରମ କମିଶନର ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ