ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଫୋକସରେ ଚାଷୀ । ଗୋଟିଏ ପଟେ ଦେଶରେ ଚାଷୀ ଆନ୍ଦୋଳନ ଏବଂ ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଥିବାରୁ ଚାଷୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଖେଳିଛନ୍ତି କାଳିଆ କାର୍ଡ଼ । ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୩୪ ଲକ୍ଷ ଚାଷୀଙ୍କୁ ସହାୟତା ଦେଵାର ବ୍ୟବସ୍ଥା କରିଛନ୍ତି । ଚାଷୀଙ୍କ ସହ ଜଡିତ ବାର୍ତ୍ତା ଦେବାକୁ ଯାଇ ଏମଏମପି କଥାକୁ ଜୋରସୋରରେ ଉଠାଇଛନ୍ତି ନବୀନ ।
ଉତ୍କଳ ଦିବସ ଅବସରରେ ୩୪ ଲକ୍ଷ ଚାଷୀଙ୍କୁ ସହାୟତା ପିପିଲି ଉପ ନିର୍ବାଚନ ପାଇଁ ପୁରୀ ଜିଲ୍ଲାରେ ଲାଗିଛି ନିର୍ବାଚନ ଆଚରଣ ବିଧି । ପୁରୀ ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାର ଚାଷୀଙ୍କୁ ଟଙ୍କା ଦିଆଯାଇଛି । ତେବେ ପିପିଲିବାସୀଙ୍କୁ କାଳିଆ ଟଙ୍କା ଆଶା ଦେଖାଇ ଭୋଟ ହାତେଇବା ଯୋଜନା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହା ସହ ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏହା ବିଜେଡିର ପ୍ରାଥମିକ ରଣନୀତି ବୋଲି କୁହାଯାଇଛି ।ବିଜେପି କିଶାନ ମୋର୍ଚ୍ଚା ଅଧକ୍ଷ ପ୍ରଦୀପ ପୁରୋହିତ କହିଛନ୍ତି, କାଳିଆ ନାଁରେ ଆଶା ଦେଖାଇ ପିପିଲିରୁ ୭୦ ରୁ ୮୦ ହଜାର ଭୋଟ ନେବାକୁ ଷଡ଼ଯନ୍ତ୍ର କରିଛନ୍ତି । ଚାଷୀ କାଳିଆ ଟଙ୍କା ପାଇ ଖୁସି ନାହାନ୍ତି, କାରଣ ମଣ୍ଡିରୁ ଧାନ ଉଠିପାରୁନି । ମଣ୍ଡିରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଵସ୍ତା ଧାନ ପଡିଥିବା ବେଳେ ଦୁଇ ହଜାର ଟଙ୍କା ଖୁସି କରିପାରିବ ନାହିଁ ।କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, କାଳିଆ ଟଙ୍କା ଦେବା ପଛରେ ଭୋଟ ହାତେଇବା ଲକ୍ଷ୍ୟ । ଭୋଟ ପାଇଁ ଲୋକଙ୍କୁ ଭଣ୍ଡଉଛନ୍ତି ନବୀନ ପଟ୍ଟନାୟକ ।ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି କାଳିଆ ଟଙ୍କାକୁ ନିର୍ବାଚନ ସହ ଯୋଡ଼ିବା ଉଚିତ ନୂହେଁ । ପୂର୍ବରୁ ମଧ୍ୟ ୨୦୧୯ରେ ବିରୋଧୀ ଏହି କଥା କହୁଥିଲେ ଯେ, ନିର୍ବାଚନ ପରେ କାଳିଆ ଟଙ୍କା ଦେବେ ନାହିଁ ବୋଲି । ଚାଷୀଙ୍କୁ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିଲୁ, ତାହା ପୂରଣ କରୁଛୁ । ଏହା ପୂର୍ବର ଯୋଜନା, ପିପିଲି ଉପନିର୍ବାଚନ ପାଇଁ ନୁହେଁ । ସାରା ଓଡିଶାରେ ନିର୍ବାଚନ ହେଉନାହିଁ ବୋଲି ସେ କହିଛନ୍ତି ।ସୂଚନା ଅନୁସାରେ, ବିଧାନସଭାରେ ଦେଇଥିବା ତଥ୍ୟ ଏବଂ ଗତକାଲି ୬୯୪ କୋଟି ଟଙ୍କାକୁ ମିଶାଇ କାଳିଆ ବାବଦକୁ ମୋଟ ୭୩୮୪ କୋଟି ଖର୍ଚ୍ଚ ହୋଇଛି । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ପ୍ରସଙ୍ଗକୁ ଜିବୀତ କରି ପରୋକ୍ଷରେ କେନ୍ଦ୍ରକୁ ଟାରଗେଟ କରିଛନ୍ତି ନବୀନ ।୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ କାଳିଆ ଯୋଜନାରେ ୫୧.୦୫ ଲକ୍ଷ ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଏଥିପାଇଁ ୨୦୧୮-୧୯ ମସିହାରେ ଚାଷୀ ସହାୟତା ଓ ପ୍ରଶାସନିକ ବ୍ୟୟ ବାବଦକୁ ୨୧୭୫.୬୬ କୋଟି ବ୍ୟୟ କରାଯାଇଛି । ସେହିପରି ୨୦୧୯-୨୦ ମସିହାରେ ୩୨୪୩.୦୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ପୁନଶ୍ଚ ୨୦୨୦-୨୧ ମସିହାରେ ୫୩.୫୫ ଲକ୍ଷ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ଏବଂ ଏଥିରୁ ଫେବୃଆରୀ ମାସ ସୁଦ୍ଧା ୧୨୭୨.୧୯ କୋଟି ଟଙ୍କା ବ୍ୟୟ କରାଯାଇଥିଲା ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ