ଭୁବନେଶ୍ବର: ଆସାମ ପର୍ଯ୍ୟଟକଙ୍କୁ ଓଡିଶାରେ ମାଡ । ସାମାନ୍ୟ କଥାରୁ ଯୁକ୍ତିତର୍କ ସହ ମାରପିଟ । ପରିବାର ସହ ନନ୍ଦନକାନନ ବୁଲିବାକୁ ଆସିଥିବା ସଦସ୍ୟଙ୍କୁ ଏପରି ବ୍ୟବହାର ଦେଖାଇ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେଇଛନ୍ତି ଖୋଦ୍ ନନ୍ଦନକାନନ କର୍ମଚାରୀ ।
ଖବର ଅନୁଯାୟୀ, ଗୌହାଟିରୁ ଆସିଥିବା 7 ଜଣ ପରିବାର ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବା ସହ ନନ୍ଦନକାନନକୁ ବୁଲିବାକୁ ଯାଇଥିଲେ । ଟିକେଟ କାଟିବା ସହ ବ୍ୟାଟେରୀ ଚଳିତ ଗାଡିକୁ ଅପେକ୍ଷା କରିଥିଲେ। ହେଲେ ଦୀର୍ଘ ସମୟ ଅପେକ୍ଷା ପରେ ଗାଡି ନଆସିବାରୁ ସେମାନେ ଗାଡିର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ କର୍ମଚାରୀଙ୍କୁ କହିଥିଲେ। ହେଲେ ଏଥିରେ ବିରକ୍ତି ହୋଇ ଗାଡି ଚାଳକ ପର୍ଯ୍ୟଟକଙ୍କୁ ମାଡ଼ ମାରିଥିଲେ।
ଏହି ସମୟରେ ଉପସ୍ଥିତ ରହିଥିବା କିଛି ପର୍ଯ୍ୟଟକ ଘଟଣାର ଦୃଶ୍ୟକୁ ସୋସିଆଲ ମିଡିଆରେ ଭିଡ଼ିଓ କରି ଛାଡିଛନ୍ତି। ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଲିଖିତ ଅଭିଯୋଗ ନନ୍ଦନକାନନ ଥାନାରେ ହୋଇନାହିଁ। ଏହି ଘଟଣା ପରେ ନନ୍ଦନକାନନ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବା ସତ୍ତ୍ବେ କୌଣସି ଉତ୍ତର ଦେଇନାହାଁନ୍ତି ।
ତେବେ ରାଜ୍ୟରେ ଅତିଥିମାନଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଓଡିଶାକୁ ବିଶ୍ବ ସ୍ତରରେ ପହଞ୍ଚିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଖୋଦ ରାଜଧାନୀରେ ଥିବା ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରିବା ଘଟଣା ବିଡମ୍ବନାର ବିଷୟ । ସେ ପୁଣି ବାହାର ଲୋକ ନୁହେଁ ଖୋଦ ନନ୍ଦନକାନନର କର୍ମଚାରୀ ମାଡ଼ ମାରି ରକ୍ତାକ୍ତ କରିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ