ଭୁବନେଶ୍ବର: ରାଜ୍ୟ ମିଶନ ଶକ୍ତି ମେଳାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ମହିଳାଙ୍କ ପ୍ରତିଭାର କରିଛନ୍ତି ଭୁରି ଭୁରି ପ୍ରଶଂସା। ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ନାରୀ ଭିତ୍ତିକ ମେଳା ‘ମିଶନ ଶକ୍ତି ମେଳା-2019’ ସଭିଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଯେଉଁଥିରେ ରବିବାର ଯୋଗ ଦେଇ ଅଂଶଗ୍ରହଣ କରିଥିବା ମହିଳାଙ୍କ ପ୍ରଶଂସା କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।
ମେଳାରେ ପ୍ରାୟ 200 ମହିଳା ଭାଗ ନେଇ ନିଜ ନିଜ ହାତ ତିଆରି ଜିନିଷ ଲୋକଙ୍କ ଆଗରେ ବିକ୍ରି କରୁଛନ୍ତି। ତେବେ ରବିବାର ଏହି ମେଳାକୁ ବୁଲିବାକୁ ଆସିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ସେ କହିଥିଲେ କି ବଡ ବଡ ମଲକୁ ଯାଇ ସମସ୍ତେ ଜିନିଷ କିଣୁଛୁ ଆଉ ତାକୁ ବ୍ରାଣ୍ଡର ଆଖ୍ୟା ଦେଉଛୁ । ହେଲେ ଆମ ରାଜ୍ୟର ମହିଳାମାନେ ନିଜ ହାତରେ ଯେଉଁ ସବୁ ଜିନିଷପତ୍ର ତିଆରି କରି ଏଠାରେ ବିକ୍ରି କରୁଛନ୍ତି ତାହା କୌଣସି ବ୍ରାଣ୍ଡଠାରୁ କମ ନୁହେଁ। ପ୍ରକାଶ ଯେ ଗତ 5 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ସୋମବାର ଶେଷ ହେବାକୁ ଯାଉଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ