ଭୁବନେଶ୍ବର: ଆଜି ଶାରୀକୁ ମନେ ପକାଉଛି ଶୁଆ । ମନେ ମନେ ଥ୍ୟାଙ୍କ୍ ୟୁ ଭଗବାନ କହି ଶୁଭ ମନାସୁଛି । ହୁଏତ ହାତ ଧରି ଚାଲୁନି, ହେଲେ ଆମ ଭିତରେ ଏବେ ବି ପ୍ରେମ ରହିଥିବା ଦେଉଛି ବାର୍ତ୍ତା । ଆଉ ତା ହୃଦୟ କହୁଛି ହଁ, ସମଥିଙ୍ଗ ସମଥିଙ୍ଗ... । କେତେବେଳେ ସଲମାନ ଖାନଙ୍କୁ ରାତିଅଧିଆ ଲାଇକ ମାଗି ହଟହଟା ହେଉଛନ୍ତି ତ ଆଉ କେତେବେଳେ ଫୁଙ୍ଗୁଳା ଦେହରେ ଫଟୋ ଛାଡି ସମାଲୋଚାର ଶିକାର ହେଉଛନ୍ତି । ସବୁବେଳେ ସୋସିଆଲ ମିଡିଆରେ ବିଚଳିତ ରହୁଥିବା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ବର୍ଷାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ନେଇ ଟ୍ବିଟ କରି ପତ୍ନୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଅନୁଭବ । ସାଂସଦ ମହାନ୍ତି ଲେଖିଛନ୍ତି, ସମ୍ମାନନୀୟା ବର୍ଷା ପ୍ରିୟଦର୍ଶନୀ, ତୁମ ନୂଆ ଚଳଚିତ୍ର ସୁଟିଂ ବିଷୟରେ ଜାଣିବାକୁ ପାଇଲି । ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ ରହିଆସିଛ । ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ ବୋଲି ଲେଖିଛନ୍ତି ଅନୁଭବ । ଶେଷରେ ଜୟ ଜଗନ୍ନାଥ କହି ଜଣାଇଛନ୍ତି ଧନ୍ୟବାଦ ।
ମଙ୍ଗଳବାର ବର୍ଷାଙ୍କ ଆଗାମୀ ଫିଲ୍ମ ବିଜୟିନୀର ସୁଟିଂ ଆରମ୍ଭ ହୋଇଛି । କଟକରେ ଆରମ୍ଭ ହୋଇଛି ବିଜୟିନୀର ସୁଟିଂ । ଏନେଇ ବର୍ଷା ଟ୍ବିଟ କରି ସୂଚନା ଦେବା ସହିତ ଏହା ଏକ ବଡ ପ୍ରୋଜେକ୍ଟ ବୋଲି ଜଣାଇଛନ୍ତି ।
ଓଡିଆ ସିନେମାର ଅନେକ ଚଳଚ୍ଚତ୍ରରେ ଏକାଠି କାମ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି ଓଲିଉଡର ସୁପରହିଟ ଯୋଡି ବର୍ଷାନୁଭବ । ଓଲିଉଡକୁ ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଏହି ଯୋଡି । 'ଥ୍ୟାଙ୍କ ୟୁ ଭଗବାନ' ଥିଲା ବର୍ଷା ଓ ଅନୁଭବଙ୍କ ପ୍ରଥମ ଫିଲ୍ମ । ୨୦୦୬ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ କାହାଣୀ । ପରେ ଏହି ପ୍ରେମକୁ ଆଗେଇ ନେଇଯାଇଥିଲା ଉଭୟଙ୍କର ସମ୍ପର୍କ ଆକାଶର ମେଘ । ୨୦୦୮ରେ ପରଦାକୁ ଆସିଥିଲା ବର୍ଷାନୁଭବଙ୍କ ଆଉ ଏକ ହିଟ୍ ଚଳଚ୍ଚିତ୍ର 'ନେଇ ଯାଆରେ ମେଘ ମୋତେ' ।
ପ୍ରେମର ମେଘରେ ଉଡି ବୁଲିଥିଲେ ‘ସୁନା ଚଢେଇ ରୂପା ଚଢେଇ’ । ଓଲିଓଡର ବର୍ଷାନୁଭବଙ୍କ ଯୋଡିକୁ ସୁନା ଚଢ଼େଇ ମୋ ରୂପା ଚଢ଼େଇ ଫିଲ୍ମରେ ଅଧିକ ପସନ୍ଦ କରିଥିଲେ ଦର୍ଶକ । ତା'ପରେ ଉଭୟଙ୍କ ଭିତରେ କିଛି ଅଛି କି ବୋଲି ସିନେଜଗତରେ ହୋଇଥିଲା ଚର୍ଚ୍ଚା । ୨୦୧୦ରେ ଆରେଞ୍ଜ ମ୍ୟାରେଜକୁ ନେଇ ପରଦାକୁ ଆସିଥିଲା ବର୍ଷାନୁଭବଙ୍କ ଅଭିନିତ ‘ଆମ ଭିତରେ କିଛି ଅଛି କି’ ଚଳଚ୍ଚିତ୍ର । ଆଉ ତା ପରେ ୨୦୧୨ରେ ବାଳୁଙ୍ଗା ଟୋକା, ୨୦୧୩ରେ ମାଟ୍ରିକ ଫେଲ ଭଳ ଦମଦାର ଫିଲ୍ମ ମଧ୍ୟମରେ ଦର୍ଶକଙ୍କ ମନମୋହିଥିଲେ ଉଭୟ ସ୍ବାମୀ ସ୍ତ୍ରୀ ।
ବର୍ଷାଙ୍କ ମନରେ ଅନୁଭବଙ୍କ ପାଇଁ ସମଥିଙ୍ଗ ସମଥିଙ୍ଗ ହେଉଥିବାବେଳେ ଅନୁଭବ ବର୍ଷାଙ୍କୁ କହୁଥିଲେ ମୋ ଦୁନିଆ ତୁହି ତୁ । ହେଲେ ଏହି ସୁନ୍ଦର ସମ୍ପର୍କରେ ଘୋଟିଆସିଥିଲା ବିବାଦର କଳାବାଦଲ । ଉଭୟଙ୍କ ସମ୍ପର୍କ ମଝିରେ ଛିଡା ହୋଇଥିଲା ପାଚେରୀ । ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯ୍ୟାତନା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହୋଇଥିଲେ ପତ୍ନୀ ତଥା ଓଲିଉଡର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏସ୍ଡିଜେଏମ୍ ଅଦାଲତରେ ସ୍ବାମୀ ଅନୁଭବଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିବା ସହ ଭରଣପୋଷଣ ବାବଦରେ ଅର୍ଥ ଦାବି କରିଥିଲେ ।
ଏଥି ସହ ଘରୋଇ ହିଂସା ସହ ମାନସିକ ନିର୍ଯାତନା ମଧ୍ୟର ଅଭିଯୋଗ କରିଥିଲେ ପତ୍ନୀ ବର୍ଷା । କେବଳ ସେତିକି ନୁହେଁ, ଅନୁଭବଙ୍କୁ ମଦ୍ୟପ ଦର୍ଶାଇବା ସହ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ବିରୋଧରେ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିବା ସହ ସୁରକ୍ଷା ମାଗିଥିଲେ । ସେପଟେ ବର୍ଷାଙ୍କ ଏଭଳି ଅଭିଯୋଗ ପରେ ସାଂସଦ ଅନୁଭବ ମଧ୍ୟ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ପାଇଁ ଏକ ପିଟିସନ ଦାଖଲ କରିଥିଲେ । ଏହି ପିଟିସିନରେ ସେ ବର୍ଷାଙ୍କ ଉପରେ ପାଲଟା ଅଭିଯୋଗ ଆଣି କହିଥିଲେ ବର୍ଷା ତାଙ୍କ ଉପରେ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏଥିସହ ଦୁହିଁ ମଧ୍ୟରେ ବୈବାହିକ ସମ୍ପର୍କ ନଥିବାରୁ ସେ ଅସହଜ ଅନୁଭବ କରୁଥିଲେ । ବର୍ଷା ଜଣେ ଭଲ ବହୁ ବୋହୂ ଓ ସ୍ତ୍ରୀ ହେବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ ଅନୁଭବ ।
ଉଭୟ ପତି ପତ୍ନୀଙ୍କ ମଧ୍ୟରେ ବିବାଦ ଛାଡପତ୍ର ପର୍ଯ୍ୟନ୍ତ ମଧ୍ୟ ପହଁଞ୍ଚିସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିବାଦର ଅନ୍ତ ଘଟିନାହିଁ । ଏହାରି ମଧ୍ୟରେ ଅନୁଭବ ବର୍ଷାଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଜଣାଇଛନ୍ତି ଶୁଭେଚ୍ଛା । ଏବେ ବି ବର୍ଷାଙ୍କ ପ୍ରେମରେ ଅନୁଭବ ଭିଜୁଥିବା ସାଂସଦଙ୍କ ଟ୍ବିଟରୁ ଅନୁମାନ କରାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ